ରାଜ୍ୟରେ ପୁଣି ସ୍କ୍ରବ୍ ଟାଇଫସ୍ ନେଲା ଜୀବନ
ପୁଣି ଆଖି ଦେଖାଇଲାଣି ସ୍କ୍ରବ୍ ଟାଇଫସ୍ । କଣିହାଁରେ ସ୍କ୍ରବ୍ ଟାଇଫସ୍ ନେଲା ଜୀବନ। କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ନାବାଳ ଅଶ୍ୱିନଙ୍କୁ ଜ୍ୱର ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସା ଚାଲିଥିବା ସତ୍ତ୍ୱେ ଶେଷରେ ଅଶ୍ୱିନଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍କ୍ରବ୍ ଟାଇଫସ୍ ହେଉଛି ଓରିଏଣ୍ଟିଆ ସୁସୁଗାମୁସି ନାମକ ଏକ ଜୀବାଣୁ ଦ୍ୱାରା ବ୍ୟାପୁଥିବା ଏକ ଜୀବାଣୁ ଜନିତ ରୋଗ । ଏହା ସଂକ୍ରମିତ ଛୋଟ କୀଟ ବା ଚିଚିଙ୍ଗି (ଲାଭା ଅବସ୍ଥାରେ ଥିବା ପୋକ) କାମୁଡ଼ିବା ଦ୍ୱାରା ମଣିଷକୁ ବ୍ୟାପିଥାଏ । ସାଧାରଣତଃ ଝାଡ଼ଜଙ୍ଗଲ, ଘାସବଣ କିମ୍ବା ଖେତବାଡ଼ିରେ କାମ କରୁଥିବା ଲୋକଙ୍କୁ ଏହା ଅଧିକ ହୋଇଥାଏ ।