ବିଜେଡି ଶାସନ କାଳର ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଉପରୁ ହଟିବ ପରଦା: ୩ ଜିଲ୍ଲାର ଭିଜିଲାନ୍ସର ଚଢ଼ାଉ
ଗତ ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ଯୋଜନାରେ ବଡ଼ଧରଣର ଅର୍ଥ ହେରଫେର ଅଭିଯୋଗ ଆସିଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗୁମର ଖୋଲିବାକୁ ବାହାରିଛି ରାଜ୍ୟ ଭିଜିଲାନ୍ସ ବିଭାଗ।କେନ୍ଦୁଝର, ନୟାଗଡ, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି । ୮୧ ଅଧିକାରୀଙ୍କୁ ନେଇ ୨୪ ଟି ଟିମର ୩ ଜିଲ୍ଲାରେ ବଡ ଧରଣର ରେଡ ଦିଆଯାଇଛି । ୨୦୨୧-୨୩ ‘ବିକଶିତ ଗାଁ ବିକଶିତ ଓଡିଶା ‘ ଯୋଜନା ଅଧୀନରେ ଦୁର୍ନୀତି କରାଯାଇଛି ।ଟେଣ୍ଡର ଗାଇଡଲାଇନ୍ସରେ ନିୟମ ଉଲ୍ଲଙ୍ଘନ ହୋଇଥିବା ସାମ୍ନାକୁ ଆସିଛି । ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ସଂପୃକ୍ତି ସାମ୍ନାକୁ ଆସିଛି ।ଭିଜିଲାନ୍ସ ଅଧିକାରୀମାନେ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ସଂପୃକ୍ତ ଅଫିସର ଓ ଠିକାଦାରମାନଙ୍କ ଆସ୍ଥାନ ଉପରେ ନଜର ରଖିବା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ, କାର୍ଯ୍ୟାଦେଶ ଏବଂ ବ୍ୟାଙ୍କ ନେଣଦେଣର ଯାଞ୍ଚ କରୁଛନ୍ତି।