ଧାନ ବିକ୍ରି ପାଇଁ ଟୋକନ ନମିଳିବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ’ ଦାବି କରି ଚିଠି ଲେଖିଲେ ଚାଷୀ 

ଧାନ ବିକ୍ରି ସମସ୍ୟାକୁ ନେଇ ପୁଣି ଚର୍ଚ୍ଚାରେ  ବରଗଡ଼ ଜିଲ୍ଲା । ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ନମିଳିବା ଓ ପ୍ରଶାସନିକ ଅବହେଳା ଅଭିଯୋଗ କରି  ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବ ଚାଷୀ । ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରୁ ।ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଧାର-କରଜ କରି ଧାନ ଚାଷ କରିଥିଲେ । ଫସଲ ଅମଳ ପରେ ଧାନ ବିକ୍ରି କରି ଋଣ ଶୁଝିବା ସହ ଘରର ଆବଶ୍ୟକତା ପୂରଣ କରିବା ଆଶା ରଖିଥିଲେ । ହେଲେ ମଣ୍ଡିରେ ଧାନ ବିକ୍ରି ପାଇଁ ଆବଶ୍ୟକ ଟୋକନ ଏପର୍ଯ୍ୟନ୍ତ ମିଳିନଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି । ଘରେ ଅସୁସ୍ଥ ମାଆଙ୍କ ଚିକିତ୍ସା ଓ ଜରୁରୀ ଖର୍ଚ୍ଚ ପାଇଁ ବାଧ୍ୟ ହୋଇ କିଛି ଧାନ କମ୍ ଦାମରେ ଖୋଲା ବଜାରରେ ବିକ୍ରି କରିଥିବା ବେଳେ ବାକି ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଅପେକ୍ଷା କରି ରହିଛନ୍ତି ।ଏଥିପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିଜର ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ନମିଳିବା ତଥା କେହି ତାଙ୍କ ଦୁଃଖ ନଶୁଣିବାରୁ ଶେଷରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।ଶେଷରେ ସେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରି ବ୍ୟବସ୍ଥାରେ ସୁଧାର ଓ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି ଉଠିଛି ।