ପୂର୍ବତନ ଅଧ୍ୟକ୍ଷଙ୍କ ମାତୃ ବିୟୋଗର ଦ୍ୱାଦଶାହ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଖଣ୍ଡପଡା ୨୩/୧୦ (ବିଶ୍ୱରଂଜନ ସେଠି ) ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଧନୀ ହେଉ ବା ଗରିବ, ପାପୀ ହେଉ ଅବା ତପି, ଯିଏ ଏଇ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଥାଏ ତାହାର ମୃତ୍ୟୁ ହିଁ ଅନିବାର୍ଯ୍ୟ। ଏହିପରି ଜଣେ ଧର୍ମ ପରାୟଣା ମହିଳା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକ ଅଧିନ ରୟତି ଢୋଲମରା ଗ୍ରାମର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ମାତା ନୀଳମଣି ପଣ୍ଡାଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ୦୨.୦୩.୧୯୪୪ ରେ ଜନ୍ମ ଗ୍ରହଣ କରି ୧୧.୧୦.୨୦୨୬ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ସେ ଥିଲେ ଏକାଧାରରେ ଜଣେ ସୁଗୃହିଣୀ,ପତିଭକ୍ତା , ସରଳ,ନିରାଡମ୍ବର,ନିଷ୍କପଟ,ସ୍ନେହୀ,ପରୋପକାରୀ, ଧର୍ମପରାୟଣା ମହିଳା।ତାଙ୍କର ୮୨ ବର୍ଷ ଜୀବନ କାଳ ମଧ୍ୟରେ ଉଭୟ ପିତାଘର ଓ ଶାଶୁଘର ସମସ୍ତଙ୍କୁ ଏକ ସ୍ନେହ,ପ୍ରେମ ଆଉ ଭଲପାଇବା ଦେଇ ଏକ ସ୍ବତନ୍ତ୍ର ଡୋରରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ। ସେଇ ମୃତ ନୀଳମଣିଙ୍କ ଏକମାତ୍ର ସୁପୁତ୍ର ଲକ୍ଷ୍ମୀକାନ୍ତ ହିନ୍ଦୁ ଧର୍ମର ନୀତି ନିୟମ ଓ ପରମ୍ପରା ଅନୁସାରେ ମାତୃ ବିୟୋଗ ପର ଠାରୁ ନବମ ଓ ଦ୍ୱାଦଶ କାର୍ଯ୍ୟ ସୁରୁଖୁରୁରେ ସମାପନ କରିଥିଲେ।ସେଇ ବିଧେୟ ଆତ୍ମାର ଶାନ୍ତି ଓ ସଦଗତି କାମନା କରି ଗୁରୁବାର ଦ୍ୱାଦଶାହ କାର୍ଯ୍ୟ ଦିବସର ସଂଧ୍ୟାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ପର୍ବରେ ପରିବାର,ପରିଜନ,ବନ୍ଧୁବାନ୍ଧବ,ଗ୍ରାମବାସୀ, ବିଭିନ୍ନ ଅଧିକାରୀ,ଶୁଭେଚ୍ଛୁ ଓ ଶୁଭାକାଙ୍କ୍ଷିମାନେ ସାମିଲ ହୋଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିଧେୟ ଆତ୍ମାର ସଦଗତି କାମନା କରି ସେଇ ମା’ଙ୍କ ଫଟୋଚିତ୍ରରେ ଧୂପ ଦୀପ,ପୁଷ୍ପ ଅର୍ଘ୍ୟ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।