୨୬ରୁ ହବିଷ ବ୍ରତ ଆରମ୍ଭ; ଶ୍ରୀକ୍ଷେତ୍ରରେ ୩ଟି କେନ୍ଦ୍ରରେ ରହିବେ ୨୪୦୦ ହବିଷ୍ୟାଳୀ

ଚଳିତ ବର୍ଷ ପ୍ରାୟ ୨୪୦୦ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା ହବିଷ୍ୟ ବ୍ରତ ପାଳନର ସୁଯୋଗ ଦେବ ପ୍ରଶାସନ । ଏନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ହୋଇଛି । ତାଲିକାରେ ନାମ ରହିଥିବା ହବିଷ୍ୟାଳିଙ୍କୁ ନିର୍ଦ୍ଧାରିତ ସମୟରେ ପୁରୀ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଇଛି ।କାର୍ତ୍ତିକ ମାସରେ ଏହାକୁ ଏକ ପବିତ୍ର ସେବା ଭାବେ ଗ୍ରହଣ କରି ମାଆମାନଙ୍କୁ ସହଯୋଗ କରିବାକୁ ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ପରାମର୍ଶ ଦେଇଛନ୍ତି ।ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମାଆ ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ । ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ସେମାନଙ୍କ ଆବେଦନକୁ ନାମଞ୍ଜୁର କରାଯାଇଛି । ଚଳିତ ବର୍ଷ ହବିଷ୍ୟାଳିମାନଙ୍କୁ ୩ଟି ସ୍ଥାନରେ ଥିବା ପ୍ରଶାସନିକ କୋଠା, କଲ୍ୟାଣ ମଣ୍ଡପ ଓ ଯାତ୍ରୀ ବିଶ୍ରାମ ସ୍ଥଳୀରେ ରହଣି ନିମନ୍ତେ ବ୍ୟବସ୍ଥା କରାଯାଉଛି ।ସେମାନଙ୍କ ନିମନ୍ତେ ଏହି ସ୍ଥାନମାନଙ୍କରେ ପ୍ରାତଃ କାଳରୁ ବୃନ୍ଦାବତୀ ପୂଜନ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ, ଅପରାହ୍ଣରେ ମହାପ୍ରସାଦ ସେବନ, ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପ୍ରବଚନ ଇତ୍ୟାଦିର ଆନନ୍ଦ ନେବାର ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ରକୋଣଠାରେ ଥିବା ବୃନ୍ଦାବତୀ ନିବାସରେ ପୁରୀ, ଖୋରଧା, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହବିଷ୍ୟାଳିମାନେ ରହିବେ । ମୋଚିସାହି ପୌର କଲ୍ୟାଣ ମଣ୍ଡପରେ ଗଞ୍ଜାମ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହବିଷ୍ୟାଳି ରହିବେ । ବାକି ଜିଲ୍ଲାର ହବିଷ୍ୟାଳିମାନେ ରେଲ୍‌ୱେ ଟୁରିଷ୍ଟ କମ୍ପେ୍ଲକ୍ସରେ ରହିବେ ।ଆବେଦନକାରୀଙ୍କୁ ଅନଲାଇନରେ ସ୍ଥିତି ଜାଣିବା, ଚୟନ ହବିଷ୍ୟାଳିଙ୍କୁ ପଞ୍ଜିକୃତ ମୋବାଇଲ୍‌ ନମ୍ବରରେ କଲ୍‌ ମାଧ୍ୟମରେ ପୁରୀ ଆସିବାକୁ ସୂଚନା ଦିଆଯାଇଥିବା ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ସମସ୍ତ କେନ୍ଦ୍ରକୁ ସୁନ୍ଦର ଭାବରେ ସଜାଇବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।