ଟ୍ରଲି ବ୍ୟାଗରେ ବିଦେଶୀ ମୁଦ୍ରା ଚାଲାଣ, DRI ଜାଲରେ ପୁରୁଷ ଓ ମହିଳା ଯାତ୍ରୀ
୧ କୋଟି ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ । ଟ୍ରଲି ବ୍ୟାଗରେ ଡଲାର ଚାଲାଣ! ।ହାଇଦ୍ରାବାଦ ବିମାନବନ୍ଦରରୁ ଏକ କୋଟି ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ। ଡିଆରଆଇ ହାଇଦ୍ରାବାଦ ଜୋନାଲ ୟୁନିଟ୍ ର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କୁ ଗିରଫ କରାଯାଇଛି। ଉଭୟଙ୍କଠାରୁ ୧ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଜବତ ହୋଇଛି। DRI ହାଇଦ୍ରାବାଦ ଜୋନାଲ୍ ୟୁନିଟ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୁଆଲାଲମ୍ପୁର ଯାଉଥିବା ଏୟାର ଏସିଆର AK-68 ବିମାନର ଜଣେ ପୁରୁଷ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲେ ଅଧିକାରୀ । ତାଙ୍କ ଟ୍ରଲି ବ୍ୟାଗ୍ ରେ ପୋଷାକ ଭିତରେ କଳା ପଲିଥିନ୍ ରେ ଲୁଚାଇ ରଖାଯାଇଥିଲା ୬୬ ହଜାର ୬୦୦ ଆମେରିକୀୟ ଡଲାର, ୩ ହଜାର ୭୭୩ ମାଲେସିଆ ରିଙ୍ଗିଟ୍ ଓ ୨ ସିଙ୍ଗାପୁର ଡଲାର ।ଜବତ ମୁଦ୍ରାର ମୂଲ୍ୟ ପ୍ରାୟ ୬୩.୬୨ ଲକ୍ଷ ଟଙ୍କା । ପୁରୁଷ ଯାତ୍ରୀଙ୍କୁ ପଚରାଉଚରା ବେଳେ ସମାନ ବିମାନରେ ଯାଉଥିବା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ତାଙ୍କ ଉପରେ ନଜର ରଖି ଅଟକାଇଥିଲେ DRI ଅଧିକାରୀ । ମହିଳାଙ୍କ ଟ୍ରଲି ବ୍ୟାଗ୍ ରୁ ମଧ୍ୟ ପୋଷାକ ଭିତରେ ଲୁଚାଯାଇଥିବା ୯୭ ହଜାର ୬୦୦ ଆମେରିକୀୟ ଡଲାର ମିଳିଥିଲା । ଏହାର ମୂଲ୍ୟ ପ୍ରାୟ ୯୧.୯୪ ଲକ୍ଷ ଟଙ୍କା । ବିଦେଶୀ ମୁଦ୍ରାର ବୈଧ ଉତ୍ସ ଓ ପରିବହନ ସମ୍ପର୍କିତ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ଉଭୟଙ୍କଠାରୁ ମୋଟ ୧.୫୬ କୋଟି ଟଙ୍କାର ମୁଦ୍ରା ଓ ଟ୍ରଲି ବ୍ୟାଗ୍ ଜବତ କରାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।