ଝାରପଡ଼ା ଜେଲ୍‌ର ୭ଜଣ ବିଚାରାଧୀନ କଏଦୀ ହଠାତ୍ ଅସୁସ୍ଥ

ବ୍ରାଉନ୍‌ସୁଗାର୍‌ ଖାଇ ୭ କଏଦୀ ଅସୁସ୍ଥ । ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଏମାନଙ୍କ ଭିତରୁ ଜଣେ ମାଓନେତା ଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାଦ୍ୟରେ ଅପମିଶ୍ରଣ କିମ୍ବା ମାତ୍ରାଧିକ ନିଶା ସେବନ ଯୋଗୁ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣରେ ଏମାନେ ସମସ୍ତେ କାରାଗାର କ୍ୟାଣ୍ଟିନ୍‌ରୁ ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ। ଏହାପରଠୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ବାରେ ଲାଗିଥିଲା । କିଛି ଜଣଙ୍କ ପାଟିରୁ ଫେଣ ବାହରିଥିଲା । ଏହା ଦେଖି ଜେଲ୍‌ ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀଙ୍କ ହୋସ୍‌ ଉଡି଼ଯାଇଥିଲା । ସେମାନଙ୍କୁ ପ୍ରଥମେ କାରାଗାର ଭିତରେ ଥିବା ହସ୍ପିଟାଲକୁ ନିଆଗଲା । କିଛି ସମୟ ଧରି ପ୍ରାଥମିକ ଚିକିତ୍ସା ଚାଲିଲା । କିନ୍ତୁ କାହାରି ସ୍ଥିତିରେ ସୁଧାର ଆସିଲାନି । ଏହାପରେ ଜେଲ୍‌ ପରିସରରେ ଭୟର ବାତାବରଣ ଖେଳିଗଲା । ସନ୍ଧ୍ୟା ୫ଟାରେ ୫ଜଣ କଏଦୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେମାନେ ହେଲେ, ସାଜିଦ୍‌ ଖାନ୍‌, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଥଳ, ବାବୁଲା ପ୍ରଧାନ, ରୁପୁ ସିଂ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଆହୁରି ସଙ୍ଗୀନ ହୋଇଥିଲା । ୩ ଜଣଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ବେଡ୍‌ ନ ଥିବାରୁ ଅନ୍ୟ ୨ଜଣଙ୍କୁ ତୁରନ୍ତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।କଏଦୀମାନେ ମାତ୍ରାଧିକ ନିଶାସେବନ କରିବାରୁ ଅସୁସ୍ଥ ହୋଇ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ତେବେ ସବୁଠୁ କଡ଼ାସୁରକ୍ଷା ବଳୟରେ ରହୁଥିବା ଝାରପଡ଼ା ସ୍ବତନ୍ତ୍ର କାରାଗାର ଭିତରକୁ ବ୍ରାଉନ୍‌ସୁଗାର୍‌ ଗଲା କେମିତି, କିଭଳି ଜେଲ୍‌ କର୍ତ୍ତୃପକ୍ଷ ଏହାର ଟେର୍‌ ପାଇଲେନି ତାକୁ ନେଇ ଏବେ ମାଳମାଳ ପ୍ରଶ୍ନ ଉଠିଛି ।