ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା
ରଥଯାତ୍ରା ପାଇଁ ପରିବହନ ବିଭାଗର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ଏବର୍ଷ ପୁରୀକୁ ପ୍ରାୟ ଏକ ହଜାର ବସ୍ ଚଳାଚଳ କରିବ । ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡି ର ବ୍ୟବସ୍ଥା ବି କରାଯାଇଛି। ରଥଯାତ୍ରା ସମୟରେ ପିପିଲି ଟୋଲ୍ ଗେଟ୍ ରେ କୌଣସି ଟୋଲ୍ ଟିକସ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି ନେଇଛନ୍ତି।ଏହା ଅଧୀନରେ ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪୦୦ଟି ଇଭି ଗାଡ଼ି ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁମାନଙ୍କୁ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡକୁ ଆଣିବା ଏବଂ ଛାଡ଼ିବା ପାଇଁ ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଚାଲିବ। ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ। ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ। ଭୁବନେଶ୍ୱର ବସ୍ ଟର୍ମିନାଲ, କଟକ ନେତାଜୀ ବସ୍ ଟର୍ମିନାଲ ଏବଂ ପୁରୀର ତାଳବଣିଆ ଓ ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଯାତ୍ରୀ ସୁବିଧା କେନ୍ଦ୍ର ଖୋଲାଯିବ । ରାସ୍ତାରେ କୌଣସି ଗାଡ଼ି ଅଚଳ ହେଲେ ତୁରନ୍ତ ବ୍ରେକଡାଉନ୍ ଗାଡ଼ି ପହଞ୍ଚିବା ସହ ୩୦ରୁ ଅଧିକ କ୍ରେନ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ପରିବହନ କମିଶନର ଶ୍ରଦ୍ଧାଳୁଙ୍କୁ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ହିଁ ଗାଡ଼ି ପାର୍କିଂ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବା ସହ ଯାତ୍ରୀଙ୍କ ଯାତାୟାତ ମଧ୍ୟ ସୁଗମ ହେବ ।