ଆଜି ସମ୍ବିଧାନ ଦିବସ
ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ଭାରତରେ ସମ୍ବିଧାନ ଦିବସ (ବା ‘ରାଷ୍ଟ୍ରୀୟ ଆଇନ ଦିବସ’) ପାଳନ କରାଯାଏ। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଦେଶର ସମ୍ବିଧାନକୁ ଗ୍ରହଣ କରିଥିଲା। ଏହାର ଦୁଇ ମାସ ପରେ, 26 ଜାନୁୟାରୀ 1950 ରେ ଦେଶବ୍ୟାପୀ ସମ୍ବିଧାନ କାର୍ଯ୍ୟକାରୀ ହେଲା ।ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏବଂ ନାଗରିକଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ୨୦୧୫ ମସିହାଠାରୁ ପ୍ରତିବର୍ଷ ନଭେମ୍ବର ୨୬କୁ ଆନୁଷ୍ଠାନିକ ଭାବେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଭାବେ ପରିଚିତ ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ସମ୍ବିଧାନ ସଭାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଏହି ଦିନ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନ ପ୍ରତି ନାଗରିକଙ୍କ ଦାୟିତ୍ୱକୁ ପୁଣିଥରେ ମନେ ପକାଇଥାଏ ।ସମ୍ବିଧାନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ନାଗରିକଙ୍କ ମଧ୍ୟରେ ସମ୍ବିଧାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରଚାର କରିବା ।