ନରାଜରେ ପ୍ରସ୍ତାବିତ ଡାଟା ସେଣ୍ଟରକୁ ନେଇ ଏକଦମ୍ ନାରାଜ ବିରୋଧୀ

ନରାଜରେ ହେବାକୁ ଥିବା ଡାଟା ସେଣ୍ଟରକୁ ବିଧାନସଭା ହୁଲୁସ୍ତୁଲ। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ଆଦାନୀ ଗ୍ରୁପ୍ ନରାଜରେ ଡାଟା ସେଣ୍ଟର ନିର୍ମାଣ କରିବା ନେଇ ରାଜ୍ୟ ସରକାରଙ୍କ HLCA ଅନୁମୋଦନ ଦେଇଛି । ୧ ହଜାର ମେଗାୱାଟ ଶକ୍ତି ସମ୍ପନ୍ନ ୟୁନିଟ ପ୍ରତିଷ୍ଠା ହେବ ।

ଏହି ପ୍ରକଳ୍ପରେ ୧. ୪ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨୫୦ ଏକର ଜମି ଯୋଗାଇଦେବେ ଦେବେ ସରକାର। ଏହି ଡାଟା ସେଣ୍ଟର ପାଇଁ ୨ ରୁ ୪ କୋଟି ୟୁନିଟ୍ ବିଦ୍ୟୁତ୍ ଶକ୍ତି ଆବଶ୍ୟକ । ଏତେ ବଡ ପ୍ରକଳ୍ପ ହେଉଥିଲେ ବି ମାତ୍ର ୧୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି ।ପ୍ରସନ୍ନ କହିଛନ୍ତି, ଡାଟା ସେଣ୍ଟର ରାଜ୍ୟକୁ ଅହେତୁକ କ୍ଷତି ପହଞ୍ଚାଇବ। ପାଣି ଶୁଖିଯିବ, ବିଦ୍ୟୁତ ସରିଯିବ ଆଉ ବାୟୁ ପ୍ରଦୂଷଣ ବି ବଢିବ। ତାଙ୍କ ଯୁକ୍ତି ହେଉଛି- ରାଜ୍ୟ ସରକାର ନରାଜରେ ଅନୁମତି ଦେଇଥିବା ଏକ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଡାଟା ସେଣ୍ଟର ଚାଲିବାକୁ ଦୈନିକ ୩ କୋଟି ଲିଟର ପାଣି ଆବଶ୍ୟକ। ଯାହାଦ୍ବାରା ଆଗକୁ ଟୁଇନସିଟି ସମେତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜଳ ସଂକଟ ଦେଖାଦେଇପାରେ । ଓଡ଼ିଶାରେ ୪୮୦ କିଲୋମିଟର ବେଳାଭୂମି ରହିଛି। ସେଠାରେ ନିର୍ମାଣ ନେଇ ବ୍ୟବସ୍ଥା କରାଯାଉ। କିନ୍ତୁ କଟକ ନରାଜରେ କରାନଯାଉ ବୋଲି ସେ ଦାବି କରିଛନ୍ତି। ସେପଟେ ବିଜେପି ବିଧାୟକ କହିଛି, ଡାଟା ସେଣ୍ଟରର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି।