ଆଠଗଡ଼ରେ ନୂତନ ଉପଜିଲ୍ଲାପାଳ ଭାବେ ଅନିମେଷ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ।

ଆଠଗଡ଼ ୧୦/୦୯ ( ମାନସ ରଞ୍ଜନ ସାହୁ) ଆଠଗଡ଼ର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଅନିମେଷ ପ୍ରଧାନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ବିଦାୟ ସମ୍ବର୍ଦ୍ଧନା ଏବଂ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଯୋଗଦେଇଥିଲେ।
ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ସହ କାର୍ଯ୍ୟ କରିବା ସମୟର ବିଭିନ୍ନ ଅନୁଭୂତି ଓ ସ୍ମୃତି ବାଣ୍ଟିବା ସହ ତାଙ୍କ ମାର୍ଗଦର୍ଶନ, ସହଯୋଗ ଓ ସରଳ ବ୍ୟବହାରକୁ ସ୍ମରଣ କରିଥିଲେ। ସମସ୍ତେ ତାଙ୍କର ଆଗାମୀ କାର୍ଯ୍ୟଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ନିଜ ଅଭିଭାଷଣରେ ଆଠଗଡ଼ରେ କାର୍ଯ୍ୟ କରିବା ସମୟର ବିଭିନ୍ନ ଅନୁଭୂତି ଓ ସ୍ମୃତି ବାଣ୍ଟିବା ସହ କାର୍ଯ୍ୟକାଳରେ ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଆଠଗଡ଼ରେ କାର୍ଯ୍ୟ କରିବା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ।
ନୂତନ ଉପଜିଲ୍ଲାପାଳ ଶ୍ରୀ ଅନିମେଷ ପ୍ରଧାନ ନିଜ ଅଭିଭାଷଣରେ ଆଠଗଡ଼ରେ ନୂତନ ଦାୟିତ୍ୱ ଗ୍ରହଣ କରି ଖୁସି ଓ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ, ସମନ୍ୱୟ ଓ ସକାରାତ୍ମକ ମନୋଭାବ କାମକୁ ଆହୁରି ସୁଗମ କରିବ ବୋଲି ଆଶା ପ୍ରକାଶ କରିଥିଲେ। ପୂର୍ବତନ ଉପଜିଲ୍ଲାପାଳଙ୍କ ଦ୍ୱାରା ଆଠଗଡ଼ରେ ଜାରି ରହିଥିବା ପ୍ରଗତିମୂଳକ କାର୍ଯ୍ୟ ଓ ବିକାଶର ଧାରାକୁ ଆଗକୁ ନେବା ସହ ଆଠଗଡ଼ର ସର୍ବାଙ୍ଗୀଣ ଉନ୍ନତି ଓ ଜନସେବା କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ସେ ସମସ୍ତଙ୍କ ସହଯୋଗରେ ନିରନ୍ତର ପ୍ରୟାସ କରିବେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ଉପଜିଲ୍ଲାପାଳ ଶ୍ରୀ ଅନିମେଷ ପ୍ରଧାନଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କ କାର୍ଯ୍ୟକାଳରେ ଆଠଗଡ଼ର ପ୍ରଗତି ଓ ଉନ୍ନତିର ଧାରା ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ।