ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ବ୍ୟାଙ୍କ ଗ୍ରାହକଙ୍କୁ ସେବା ପାଇବାରେ ଅସୁବିଧା ହେବା ଆଶଙ୍କା ରହିଛି । ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ଯ୍ୟ ଦିବସ, PLI,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହାଦ୍ଵାରା ବ୍ୟାଙ୍କ ଶାଖା କାର୍ଯ୍ୟ, ଶାଖାରେ କ୍ୟାସ ଜମା, ଟଙ୍କା ଉଠାଣ ଏବଂ ଚେକ୍ କ୍ଲିୟରାନ୍ସ ଆଦି କାମ ପ୍ରଭାବିତ ହୋଇଛି ।ଆଜି ଶୁକ୍ରବାର ଧର୍ମଘଟ, ମାସର ଦ୍ଵିତୀୟ ଶନିବାର, ରବିବାର, ଗଣେଶ ପୂଜା ପାଇଁ ସୋମ‌ବାର ଓ ନୂଆଁଖାଇ ପାଇଁ ମଙ୍ଗଳବାର ବ୍ୟାଙ୍କ ଛୁଟି ରହିବ । ଏହି ଦିନଗୁଡ଼ିକରେ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ । ଓଡ଼ିଶାରୁ ଏହି ଧର୍ମଘଟରେ ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ । ଦିନିକିଆ ଦେଶବ୍ୟାପୀ ଧର୍ମଘଟ ପରେ ଯଦି ଦାବିଗୁଡ଼ିକ ପୂରଣ ନ ହେବ ତେବେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ହେବ । ଏହା ପରେ ଆସନ୍ତା ଅକ୍ଟୋବର ୨୬ ପରଠାରୁ ଆମରଣ ଅନଶନ କରାଯିବ ।