ଆଧୁନିକ ହେବ ଓଡ଼ିଶାର କାରାଗାର, ଜେଲ ଭିତରେ କଏଦୀଙ୍କୁ ଜଗିବ AI କ୍ୟାମେରା
କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା । ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ । କଏଦୀଙ୍କ କଲ୍ୟାଣକୁ ଗୁରୁତ୍ୱ ରହିବ । ଓଡ଼ିଶା କାରାଗାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ଆଧୁନିକ ଏବଂ ସଂସ୍କାରମୂଳକ କରିବା ଲକ୍ଷ୍ୟରେ ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ୨୦ଟି ଜେଲରେ ଲାଗିଛି AI କ୍ୟାମେରା । AI କ୍ୟାମେରା ଲାଗିବା ପରେ ଅକ୍ଟୋବର ମାସରୁ ଆଉ ଜେଲରୁ ଖସି ପାରୁନାହାନ୍ତି କଏଦୀ । ଜେଲ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ ବୋଲି ସୂଚନା ଦେଇଛନ୍ତି ଜେଲ ଡିଜି ସୁଶାନ୍ତ ନାଥ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ରୋକିବାକୁ ଲାଗିବ AI କ୍ୟାମେରା । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ । ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ ।କଏଦୀଙ୍କ ପୁନର୍ବାସ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ରାଜ୍ୟର ୭୪ଟି ଜେଲରେ ୧୧୮ ଜଣ ଯୋଗ ପ୍ରଶିକ୍ଷକ ଏବଂ ୩୬ଟି ଜେଲରେ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଏହାସହ ୯୬ଟି କ୍ଷୁଦ୍ର ଶିଳ୍ପ ସ୍ଥାପନ କରାଯାଇଥିବାବେଳେ ୨୦୨୫ ମସିହାରେ ୧,୬୩୬ ଜଣ କଏଦୀଙ୍କୁ ବୃତ୍ତିଗତ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇଛି। ଜାମୁଝରି ମୁକ୍ତାକାଶ କାରାଗାରରେ ଔଷଧୀୟ ବୃକ୍ଷରୋପଣ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ କାରାଗାରରେ ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ ଓ ମାନକୀକରଣ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି ।ସେହିପରି ଉଚ୍ଚ ନ୍ୟାୟାଳୟରେ ୨,୪୧୮ଟି ଓ ସର୍ବୋଚ୍ଚ ନ୍ୟାୟାଳୟରେ ୨୫୬ଟି ଆବେଦନ ଦାଖଲ କରାଯାଇଛି । ବୈଠକରେ ଭୁବନେଶ୍ୱର, ଯାଜପୁର ଓ ଭଦ୍ରକରେ ନୂତନ ମଡେଲ ଜେଲ ନିର୍ମାଣ, କଏଦୀଙ୍କ ଖାଦ୍ୟ, ପାନୀୟ ଜଳ, ମଜୁରି, ନିଶାମୁକ୍ତି କେନ୍ଦ୍ରର ସୁବିଧା ବୃଦ୍ଧି, କଟକ ଚୌଦ୍ୱାର ଜେଲରେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ଥାପନ ଏବଂ ଅଧିକ ମୁକ୍ତ କାରାଗାର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କାରାଗାରକୁ କେବଳ ଦଣ୍ଡର ସ୍ଥାନ ନୁହେଁ, ବରଂ ସଂସ୍କାର ଓ ପୁନର୍ବାସର କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।