ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ ଯିବ କ୍ଷତିପୂରଣ ଟଙ୍କା

ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତି ପୂରଣ। ଅନଲାଇନରେ ଚାଷୀଙ୍କ ଖାତାକୁ ପଠାଯିବ କ୍ଷତିପୂରଣ ଟଙ୍କା। ଗୋଟିଏ ବ୍ଳକର ଗୋଟିଏ ଘର କିମ୍ବା ଜଣେ ବ୍ୟକ୍ତିଙ୍କ କ୍ଷତି ହୋଇଥିଲେ ବି କ୍ଷତିପୂରଣ ଦିଆଯିବ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ ତଲବ କରାଯାଇଛି । ଏପର୍ଯ୍ୟନ୍ତ ବଲାଙ୍ଗୀର ଓ କଟକ ଜିଲ୍ଲାପାଳ ସରକାରଙ୍କୁ ରିପୋର୍ଟ ଦାଖଲ କରିସାରିଛନ୍ତି ।

ଅନ୍ୟ ଜିଲ୍ଲାରୁ ମଧ୍ୟ ଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଛନ୍ତି । କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ମଧ୍ୟସ୍ଥ ବିନା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପଠାଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସହାୟତା ପାଇବେ ଏବଂ ଆଗାମୀ ଚାଷ ପାଇଁ ସେମାନଙ୍କୁ ଆର୍ଥିକ ସହଯୋଗ ମିଳିବ ବୋଲି ଆଶା କରାଯାଉଛି ।