ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ। ଗାଏବ ହୋଇଥିବା କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛି ପରିଷଦ । ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ତାଙ୍କ ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଘଟିଥିଲା । ଏଥିରେ ଅନେକ ଲୋକଙ୍କ ଜୀବନହାନି ଘଟିବା ସହ ବହୁ ପରିବାର ବିସ୍ଥାପିତ ହୋଇଥିଲେ ।ପରବର୍ତ୍ତୀ ସମୟରେ ୨୦୧୩ରେ ସେସନ୍ସ କୋର୍ଟ ଆଠଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ଘଟଣାର ତଦନ୍ତ ପାଇଁ ଗଠିତ ନାଇଡୁ କମିଶନ ୨୦୧୫ ଡିସେମ୍ବରରେ ୧,୫୦୦ ପୃଷ୍ଠାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରିଥିଲେ। କିନ୍ତୁ ଏହି ରିପୋର୍ଟ କେବେ ବି ସାର୍ବଜନୀନ କରାଯାଇନଥିଲା। ୨୦୨୪ରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ରିପୋର୍ଟ ଗାଏବ ହୋଇଥିବା ଜଣାପଡ଼ିଥିଲା। ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ଚଳାଇଛନ୍ତି ।