ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା:ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା

ଗତ ଜୁଲାଇ ୧୬ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରେ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ଘଟିଥିଲା । ପୁରୀରେ ରଥଯାତ୍ରା ସମୟରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା କଟକର ଅନୀଲ ଦାସ ଏବଂ ମହାରାଷ୍ଟ୍ର ମୁମ୍ବାଇରୁ ଆସିଥିବା ଅଶୋକ ସୁବାରେ ରାଇକରଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ ସୁଦ୍ଧା, ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ପ୍ରାଣହାନି ଘଟିଥିଲା । ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଜନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ ।ଏହି ଆର୍ଥିକ ସହାୟତା ରାଶି ଯେପରି ବିନା କୌଣସି ପ୍ରଶାସନିକ ବାଧାବିଘ୍ନରେ ତୁରନ୍ତ ଏବଂ ସୁରକ୍ଷିତ ଭାବେ ମୃତକଙ୍କ ପରିବାର ନିକଟରେ ପହଞ୍ଚିପାରିବ, ସେନେଇ ସ୍ଥାନୀୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।