ଶୁଖିଲା ପଡ଼ିଛି ଆନ୍ଧ୍ରପ୍ରଦେଶର ଚିତ୍ରାବତୀ ନଦୀ:ବାଲିରେ ହେଲା ଗଣପତିଙ୍କ ବିସର୍ଜନ
ଆନ୍ଧ୍ରପ୍ରଦେଶର ପୁଟ୍ଟାଲୁରୁରେ ମରୁଡ଼ି ପଡ଼ିଛି। ଚିତ୍ରାବତୀ ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି। ଏବେ ନଦୀ ଗର୍ଭରେ ପାଣି ବଦଳରେ ଖାଲି ଶୁଖିଲା ବାଲି ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀରେ ପାଣି ନାହିଁ। ପୁଟ୍ଟଲୁରୁରେ ମରୁଡ଼ିର ଏଭଳି ଚିତ୍ର ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭାବବିହ୍ୱଳ କରିଦେଇଛି। ପ୍ରତିବର୍ଷ ଯେଉଁ ଚିତ୍ରାବତୀ ନଦୀରେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିଲା, ଏଥର ସେଠାରେ ପାଣିର ଚିହ୍ନ ନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଗଣପତିଙ୍କ ମୂର୍ତ୍ତିକୁ ଶୁଖିଲା ନଦୀର ବାଲି ଉପରେ ରଖି ବିଦାୟ ଦେଇଛନ୍ତି। ନଦୀ ଶୁଖିଯାଇଥିବାରୁ ଏହା ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହୋଇଥିଲା। ମରୁଡ଼ିର ଏକ ପ୍ରମୁଖ କାରଣ ଏଲ୍ ନିନୋକୁ ମଧ୍ୟ କୁହାଯାଉଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବିଶ୍ୱ ଜଳବାୟୁ ଢାଞ୍ଚା ଏଲ୍ ନିନୋ ମୌସୁମୀକୁ ଦୁର୍ବଳ କରିଦେଇଛି। ଏଲ୍ ନିନୋ ଭାରତର ଦକ୍ଷିଣ ଭାଗରେ ବର୍ଷାର ଅନିଶ୍ଚିତତାକୁ ବୃଦ୍ଧି କରିଥାଏ। ଯାହା ଫଳରେ ଏହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ।କମ୍ ବର୍ଷା ଯୋଗୁଁ ପୋଖରୀ ଭଳି ପ୍ରାକୃତିକ ଜଳ ଉତ୍ସଗୁଡ଼ିକରେ ଜଳସ୍ତର ହ୍ରାସ ପାଇବା ସହିତ ଭୂତଳ ଜଳ ପୁନଃଭରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। କୃଷି ଏବଂ ଘରୋଇ ଆବଶ୍ୟକତା ପାଇଁ ବୋରୱେଲ ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ପ୍ରାୟ ୬୦% ବୋରୱେଲ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ଏହା ଜଳ ସଙ୍କଟକୁ ଆହୁରି ତୀବ୍ର କରିଛି।