ଗଣିଆ ବ୍ଲକର ବିଭିନ୍ନ ଗ୍ରାମରେ ଧୂମଧାମରେ ପାଳିତ ହେଲା ମା’ ଖୁଦୁରୁକୁଣୀ ଉଷା
ଗଣିଆ =(ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମା’ ଖୁଦୁରୁକୁଣୀ (ଭାଲୁକୁଣୀ) ଉଷା ମହାସମାରୋହରେ ପାଳିତ ହୋଇଯାଇଛି। ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ କୁମାରୀ କନ୍ୟା ଓ ମହିଳାମାନେ ନିଜ ନିଜ ଭାଇମାନଙ୍କର ଦୀର୍ଘାୟୁ, ସୁଖ-ସମୃଦ୍ଧି ଓ କଲ୍ୟାଣ କାମନା କରି ଏହି ପାରମ୍ପରିକ ବ୍ରତ ପାଳନ କରିଛନ୍ତି।ସକାଳୁ କୁମାରୀ ଝିଅମାନେ ସ୍ନାନ ସାରି ନଦୀ, ପୋଖରୀ କୂଳରୁ ମାଟି ଆଣି ପୂଜା ସ୍ଥଳୀକୁ ସଜାଇଥିଲେ। ଗ୍ରାମର ମଣ୍ଡପ, ତୁଳସୀ ଚୌରା ଓ ପୂଜା ଗୃହଗୁଡ଼ିକୁ ଝୋଟି, ଚିତ୍ତା ଓ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଫୁଲରେ ଆକର୍ଷଣୀୟ ଭାବେ ସଜାଯାଇଥିଲା । ମା’ଙ୍କ ନିକଟରେ ଲିଆ, ଖୁଦୁରୁ (ଖୁଦ ଭଜା), କାକୁଡ଼ି, ନଡ଼ିଆ, କଦଳୀ ଓ ବିଭିନ୍ନ ଫଳମୂଳ ନୈବେଦ୍ୟ ଭାବେ ଅର୍ପଣ କରାଯାଇଥିଲା।ତପୋଈ କଥା ପାଠ: ସନ୍ଧ୍ୟାରେ ମା’ ଖୁଦୁରୁକୁଣୀଙ୍କ ଆରାଧନା ସହ ସାଧବ ବୋହୂ ‘ତପୋଈ’ର ଦୁଃଖ କାହାଣୀ ଓ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ-ଶ୍ରଦ୍ଧାର କଥାବସ୍ତୁ ପାଠ କରାଯାଇଥିଲା।ଗ୍ରାମାଞ୍ଚଳରେ ଉତ୍ସବର ମାହୋଲଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ, ବେଲପଡା ପାଟଣା , ରସଙ୍ଗ, ବଡ଼ମୂଳ, ଛାମୁଣ୍ଡିଆ ଆଡ଼କଟା କିଶୋରପ୍ରସାଦ, କରଡ଼ାପଡା ବଡସିଲିଙ୍ଗା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ଏହି ପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶଙ୍ଖ, ହୁଳହୁଳି ଓ ସନ୍ଧ୍ୟା ଆରତିରେ ଗାଁ ମୁଖରିତ ହୋଇଉଠିଥିଲା।ଶେଷ ରବିବାର ପୂଜା ପରେ ମା’ଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ନଦୀ ବା ଜଳାଶୟରେ ବିସର୍ଜନ କରାଯାଇ ଉତ୍ସବର ଉଦଯାପନ କରାଯାଇଛି।