କାନାଡାରେ ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
କାନାଡାରେ ଉଡ଼ାଣ ତାଲିମ ସମୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । କାନାଡାରେ ଥିବା ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାର ନିଶ୍ଚିତ କରିଛି । ଛାତ୍ରମାନେ ସେମାନଙ୍କର ବାଣିଜ୍ୟିକ ପାଇଲଟ୍ ବିମାନ ଚଳାଚଳ ତାଲିମ ପାଇଁ ଉଡ଼ାଣ ଅଭ୍ୟାସ କରୁଥିଲେ। ମୃତକଙ୍କୁ ତାମିଲନାଡୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀଚରଣ ତିରୁଗନାସମ୍ବନ୍ଥମ ବୋଲି ଚିହ୍ନଟ କରାଯାଇଛି ।ଶୋକସନ୍ତପ୍ତ ପରିବାର ଓ ନିକଟ ସମ୍ପର୍କୀୟଙ୍କ ପ୍ରତି ଦୂତାବାସ ଗଭୀର ସମବେଦନା ଜଣାଇଛି। ଦୁଇ ଛାତ୍ରଙ୍କ ପାର୍ଥିବ ଶରୀର ଭାରତ ଆଣିବା ପ୍ରକ୍ରିୟାରେ ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଭାରତୀୟ ମହାବାଣିଜ୍ୟ ଦୂତାବାସ ପ୍ରସ୍ତୁତ ଥିବା କହିଛି ।
ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କାନାଡାର ମିଡିଆ ରିପୋର୍ଟ ଅନୁସାରେ, ସସ୍କାଚେୱାନ୍ର କିସବେ ନିକଟରେ Harv’s Air ଦ୍ୱାରା ପରିଚାଳିତ ଏକ Cessna 172 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ, ଉକ୍ତ Cessna 172 ବିମାନଟି ରେଜିନାରୁ କାର୍ଲାଇଲ୍ ଦେଇ ମାନିଟୋବାର ଷ୍ଟାଇନବାକ୍ ଅଭିମୁଖେ ରାତିରେ କ୍ରସ୍-କଣ୍ଟ୍ରି ଉଡ଼ାଣ କରୁଥିଲା। ନିର୍ଦ୍ଧାରିତ ସମୟରେ ବିମାନଟି ଗନ୍ତବ୍ୟରେ ନପହଞ୍ଚିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରିଥିଲେ ଏବଂ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର କାରଣ ତଦନ୍ତ କରୁଛି।