ଓଡ଼ିଶାରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜୋରଦାର ହୋଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା, ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ସରକାର ସତର୍କ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତିର ସମୀକ୍ଷା କରିଛନ୍ତି ।ସମସ୍ତ ଜିଲ୍ଲାର ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ ରଖାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଥିବା ୮ଟି ଜିଲ୍ଲାରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଏଥିରେ ୧୪୧ଟି ସ୍ଥାୟୀ ଏବଂ ୧,୯୨୬ଟି ଅସ୍ଥାୟୀ ଆଶ୍ରୟସ୍ଥଳ ରହିଛି ।ବିପର୍ଯ୍ୟୟର ମୁକାବିଲା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସାରା ରାଜ୍ୟରେ ୬୨ଟି ODRAF ଟିମ୍, ୯ଟି NDRF ଟିମ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି ।ଏଥିସହିତ ୧,୫୧୦ଟି ପାୱାର ଚେନ୍-ସ’, ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ ଟି ଜଳ ନିଷ୍କାସନ ପମ୍ପ ଓ ୨୨୫ଟି ଟାୱାର ଲାଇଟ୍ ମୁତୟନ ଅଛି । ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଛୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍, ପଲିଥିନ୍ ଏବଂ ଆଣ୍ଟି-ସର୍ପ ଭେନମ୍ (ASV) ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଇଛି ।