ଖୁବଶୀଘ୍ର ମାର୍କେଟକୁ ଆସିବ  ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ

ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । ଭାରତୀୟ ଆର୍ଥିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ (RBI) ପକ୍ଷରୁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ ପାଇଁ କ୍ଷେତ୍ରୀୟ ପରୀକ୍ଷା କରାଯିବ I ଏନେଇ ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।ଯଦି ପରୀକ୍ଷଣ ସଫଳ ହୁଏ ତେବେ ସେଗୁଡ଼ିକୁ ନିୟମିତ ଜାରି କରିବାର ଯୋଜନା ରହିଛି । ସରକାର କହିଛନ୍ତି ଯେ ଏହା କେବଳ ପରୀକ୍ଷଣ ଉଦ୍ଦେଶ୍ୟରେ ଏବଂ ବିଦ୍ୟମାନ କାଗଜ ନୋଟ୍ ଉପରେ ପ୍ରଭାବ ପକାଇବ ନାହିଁ ।ସରକାର ସ୍ପଷ୍ଟ କରିଛନ୍ତି ଯେ କାଗଜ ନୋଟ୍ ବନ୍ଦ କରିବା ପାଇଁ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ । ପଲିମର ନୋଟ୍ ବିଦ୍ୟମାନ ନୋଟ୍ ସହିତ ପରିବ୍ୟାପ୍ତ ହେବ। କ୍ଷେତ୍ର ପରୀକ୍ଷଣ ସଫଳ ହେଲେ ଭବିଷ୍ୟତରେ ସେମାନଙ୍କର ବଡ଼ ପରିମାଣର ଜାରି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।ଆରବିଆଇର ଏହି ପରୀକ୍ଷଣ ଅଧୀନରେ ୧୦ ଟଙ୍କା ଏବଂ ୨୦ ଟଙ୍କିଆ ନୋଟ୍ ପ୍ରତ୍ୟେକର ୧୦୦ କୋଟି ପିସ୍ ବଜାରକୁ ଅଣାଯିବ, ଯାହାର ମୋଟ ମୂଲ୍ୟ ୩,୦୦୦ କୋଟି ଟଙ୍କା ହେବ। ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପରୀକ୍ଷା କରିବାର ଏହା ହେଉଛି ଦ୍ୱିତୀୟ ପ୍ରୟାସ। ୨୦୦୯ ରେ ପ୍ରଥମ ପ୍ରୟାସ କରାଯାଇଥିଲା I ଆରବିଆଇ ପକ୍ଷରୁ ସେପ୍ଟେମ୍ବର ୨୦୦୯ରେ ୧୦ ଟଙ୍କିଆ ନୋଟର ୧୦୦ କୋଟି ପିସ୍ ପାଇଁ ଟେଣ୍ଡର ଡକାଯାଇଥିଲା। ଏହି ନୋଟ୍ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଯଥା କୋଚି, ମହୀଶୂର, ସିମଲା, ଜୟପୁର ଏବଂ ଭୁବନେଶ୍ୱରରେ ପରୀକ୍ଷା କରାଯିବାର ଥିଲା। କିନ୍ତୁ କିଛି “ଯାନ୍ତ୍ରିକ ତ୍ରୁଟି” ଯୋଗୁଁ ସେତେବେଳେ ଏହି ପ୍ରକଳ୍ପ ଆଗକୁ ବଢ଼ିପାରି ନଥିଲା।

ଚଳିତ ବର୍ଷ ଜୁଲାଇ ୧୭ ତାରିଖରେ, ଆରବିଆଇର ଅଧୀନସ୍ଥ ଏକ ସଂସ୍ଥା ‘ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍’ ଦୁଇଟି ମୂଲ୍ୟବର୍ଗର ନୋଟ୍ ଛାପିବା ପାଇଁ ୩.୪ କୋଟି ପଲିମର ସିଟ୍ ସଂଗ୍ରହ ନିମନ୍ତେ ଏକ ବିଶ୍ୱବ୍ୟାପୀ ଟେଣ୍ଡର ପ୍ରସ୍ତୁତ କରିଛି । ଏହା ସଫଳ ହେଲେ ଭବିଷ୍ୟତରେ ଅନ୍ୟ ମୂଲ୍ୟବର୍ଗର ନୋଟ୍ ମଧ୍ୟ ପ୍ଲାଷ୍ଟିକ୍ରେ ତିଆରି ହୋଇପାରେ ବୋଲି ସୂଚନା ମିଳିଛି।