ଗଣିଆରେ ରକ୍ଷାବନ୍ଧନ ଓ ଗହ୍ମା ଡିଆଁ ଉତ୍ସବ ପାଳିତ
ଗଣିଆ -(ବିଶ୍ୱରଂଜନ ସେଠି )ଗଣିଆ ବ୍ଲକରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଓ ରାଜ୍ୟର ପାରମ୍ପରିକ ଗମ୍ହା ପୂର୍ଣ୍ଣିମା ଉତ୍ସବ ବହୁ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧି ସେମାନଙ୍କ ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରିଛନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଦେବାର ବଚନ ସହ ବିଭିନ୍ନ ଉପହାର ଦେଇଥିଲେ।ଗୋ-ପୂଜନ ଓ ବଳଭଦ୍ର ଜୟନ୍ତୀ: କୃଷି ଭିତ୍ତିକ ପରମ୍ପରା ଅନୁଯାୟୀ ଗାଈ ଓ ବଳଦଙ୍କୁ ସଜାଯାଇ ପୂଜାର୍ଚ୍ଚନା କରାଯାଇଛି। ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ମନ୍ଦିରଗୁଡ଼ିକରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ପାରମ୍ପରିକ ‘ଗମ୍ହା ଡିଆଁ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉତ୍ସାହର ସହ ସ୍ଥାନୀୟ ଲୋକେ ଭାଗ ନେଇଥିଲେ।

ଗଣିଆ ବ୍ଲକର ଆଠଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ଭାଇ-ଭଉଣୀଙ୍କ ଆତ୍ମୀୟତା ଓ କୃଷି ସଂସ୍କୃତିର ଏହି ମିଳନ ପର୍ବ ବେଶ୍ ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ଶାସ୍ତ୍ର ଅନୁଯାୟୀ, ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିରୁ ରକ୍ତସ୍ରାବ ହେଉଥିବା ଦେଖି ନିଜ ଲୁଗା ଚିରି ବାନ୍ଧିଦେଇଥିଲେ। ସେହିଦିନଠାରୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ପ୍ରତିଟି ସଙ୍କଟରୁ ରକ୍ଷା କରିବାର ବଚନ ଦେଇଥିଲେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଭାଇ-ଭଉଣୀ ଯେତେ ଦୂରରେ ଥିଲେ ମଧ୍ୟ ଏହି ଦିନଟି ସେମାନଙ୍କୁ ଆତ୍ମୀୟତାର ସୂତାରେ ବାନ୍ଧି ରଖେ।ଏହି ପର୍ବ କେବଳ ଏକ ସୂତା ବାନ୍ଧିବାର ନୀତି ନୁହେଁ, ବରଂ ଏହା ଦୁଇଟି ହୃଦୟର ସାଥୀ ହୋଇ ଚାଲିବାର ଏକ ଅଲିଖିତ ପ୍ରତିଶ୍ରୁତି ମାତ୍ର।