ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ।ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ତେବେ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପାଳନ ହେବ । ଏଥିପାଇଁ ସେବାୟତଙ୍କ ଦ୍ବାରା ନାଲି, ନୀଳ, ହଳଦିଆ ଓ ବାଇଗଣୀ ରଙ୍ଗରେ ରାଖୀ ପ୍ରସ୍ତୁତ ହୋଇଛି । ଗହ୍ମା ପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାଖୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ସ୍ୱତନ୍ତ୍ର ବାସୁଙ୍ଗୀ ପାଟ ଶାଢ଼ିରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରାଖୀ ପାଟରା ବିଶୋଇ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଗହ୍ମା ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କଠାରେ ରାଖୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଆଜି ନା ଆସନ୍ତାକାଲି କେଉଁ ଦିନ ପାଳନ ହେବ ରାଖୀ ପୂର୍ଣ୍ଣିମା? ଏହାକୁ ନେଇ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ ରହିଛି । ଗଣନା ଅନୁସାରେ ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୯ ମିନିଟ୍ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୯ ମିନିଟ୍ରେ ଶେଷ ହେଉଛି । ତେବେ ଅଗଷ୍ଟ ୨୭ରେ ଭଦ୍ରାକାଳ ରହୁଥିବାରୁ ଏହି ଦିନ ରାଖୀ ବାନ୍ଧିବାକୁ ଅନେକ ପଣ୍ଡିତ ଓ ଜ୍ୟୋତିର୍ବିଦ ବାରଣ କରିଛନ୍ତି । ତେଣୁ ଅଗଷ୍ଟ ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଶ୍ରୀମନ୍ଦିରର ନୀତିକାନ୍ତି ଓ ଉଦୟ ତିଥିକୁ ଆଧାର କରି ଅଗଷ୍ଟ ୨୮ରେ ଶ୍ରୀବଳଭଦ୍ର ଜନ୍ମ ଏବଂ ରାଖୀଲାଗି ନୀତି ପାଳନ ହେଉଥିବାରୁ, କିଛି ଗବେଷକ ଓ ପଣ୍ଡିତ ମଧ୍ୟ ୨୮ ତାରିଖରେ ରାଖୀ ବାନ୍ଧିବାକୁ ମତ ଦେଇଛନ୍ତି ।