ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍ ! ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନିକଟରେ ‘ବୀମା ନାହିଁ ତ ପେଟ୍ରୋଲ ନାହିଁ’ (No Insurance, No Petrol) ନିୟମ ଲାଗୁ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଗାଡ଼ିର ବୀମା ସ୍ଥିତି ତୁରନ୍ତ ଯାଞ୍ଚ କରାଯିବ। ବୀମା ଅବଧି ଶେଷ ହୋଇଥିଲେ ଗାଡ଼ିକୁ ତେଲ ମିଳିବ ନାହିଁ। ସେହିପରି ନୂଆ ଗାଡ଼ି କିଣିବା ବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଅବଧି ବୃଦ୍ଧି କରାଯାଇଛି।

ନୂଆ କାର୍ ପାଇଁ ବୀମା ଅବଧି ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ନୂଆ ଦୁଇଚକିଆ ଗାଡ଼ି ପାଇଁ ବୀମା ଅବଧି ୫ ବର୍ଷରୁ ୬ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଜାତୀୟ ରାଜପଥରେ ଥିବା ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରାକୁ ସରକାରଙ୍କ (VAHAN) ଡାଟାବେସ୍ ସହ ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯାହାଦ୍ୱାରା ବୀମା ନଥିବା ଗାଡ଼ିଗୁଡିକୁ ତୁରନ୍ତ ଚିହ୍ନଟ କରାଯାଇପାରିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆସିବା ପରେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁହଁ ଖୋଲିଛନ୍ତି | ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ ତଥା ଦେଶରେ ଏବେ ଲକ୍ଷ ଲକ୍ଷ ଗାଡ଼ି ବିନା ବୀମାରେ ରାସ୍ତାରେ ବେଧଡ଼କ ବୁଲୁଛି । ଦୁର୍ଘଟଣା ସମୟରେ ଉପଯୁକ୍ତ ବୀମା ନଥିବା କାରଣରୁ ମୃତାହତଙ୍କ ପରିବାର ଲୋକେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଆଇନଗତ ଲଢ଼େଇରେ ବହୁ ହଇରାଣ ହେଉଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ବୀମା ନିୟାମକ କର୍ତ୍ତୃପକ୍ଷ ପକ୍ଷରୁ ଯେଉଁ ନୂତନ ଏସଓପି ବା ଗାଇଡଲାଇନ୍ ପ୍ରସ୍ତୁତ କରାଯିବ, ତାହାକୁ ଆଧାର କରି ଓଡ଼ିଶାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ