ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ
କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଅନନ୍ତ ଜେନା ନାମକ ଜଣେ ଯୁବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ପାଖରେ ଆଉ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଭୁଲରେ କୁକୁର କାମୁଡା ଇଞ୍ଜେକସନ ଫୋଡ଼ି ଦେଇଥିଲେ । ଏଥିରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ । ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇ ବାନ୍ତି ହେବାରୁ ଫାର୍ମାସିଷ୍ଟ ସୁଧିର ଅନନ୍ତକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଭୁଲ ବଶତଃ ଏପରି ହୋଇଯାଇଥିବା ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଛନ୍ତି ।