ଟାଇଗର ଶ୍ରଫଙ୍କ ଘର ଉପରେ ଗୁଳିମାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର! ଲିଷ୍ଟରେ ଥିଲେ ଅକ୍ଷୟ, ସଲମାନ,ଆମିର ଓ ଅମିତାଭ

ମୁମ୍ବାଇର ଜୁହୁରେ ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରେ ଗୁଳିମାଡ଼ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୩ ଆକ୍ରମଣକାରୀ ଗିରଫ ହେବା ପରେ, ସେମାନେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି । ପ୍ରଥମେ ସେମାନେ ସ୍ବୀକାର କରିଥିଲେ, ଟାଇଗର ଟାର୍ଗେଟରେ ନଥିଲେ । ସେମାନେ ସଲମାନ ଖାନଙ୍କୁ ଗୁଳି କରିବାକୁ ଯୋଜନା କରିଥିଲେ । କିନ୍ତ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ଭେଦିନପାରି, ସହଜ ଟାର୍ଗେଟ ଭାବରେ ଟାଇଗରଙ୍କ ଉପରେ ଆକ୍ରମଣ କରିଥିଲେ କିଲର । ଟାଇଗରଙ୍କ ସୁରକ୍ଷା ବ୍ୟବସ୍ଥା ନଥିବାରୁ ତାଙ୍କ ଉପରେ ଆକ୍ରମଣ କରିବା ସହଜ ହୋଇଥିଲା ବୋଲି ମାନିଛନ୍ତି ୩ ଅଭିଯୁକ୍ତ । ତେବେ ଶୁଟରମାନେ ମୁମ୍ବାଇ ବୁଲିବା ବାହାନାରେ ଅମିତାଭ ବଚ୍ଚନ, ଆମିର ଖାନ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ ବଲିଉଡ ଷ୍ଟାର୍ଙ୍କ ଘରର ରେକି କରିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଟାଇଗର ଶ୍ରଫ ପ୍ରତି ରବିବାର ଜୁହୁରେ ଫୁଟବଲ ଖେଳିବାକୁ ଆସନ୍ତି। ଏହାପରେ ଅକ୍ଟୋବର ୧୮ରେ ଟାଇଗରଙ୍କ ଉପରେ ଆକ୍ରମଣ କରାଯାଇଥିଲା।ତେବେ ଏପର୍ଯ୍ୟନ୍ତ ତଦନ୍ତରୁ ଅମିତାଭ, ଆମିର କିମ୍ବା ଅକ୍ଷୟଙ୍କୁ ଆକ୍ରମଣ ପାଇଁ ଚୂଡ଼ାନ୍ତ ଟାର୍ଗେଟ ଭାବେ ଚୟନ କରାଯାଇଥିବା ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ଏହି ତିନି ଜଣଙ୍କ କ୍ଷେତ୍ରରେ ବର୍ତ୍ତମାନ କେବଳ ରେକି କରାଯାଇଥିବା ସୂଚନା ହିଁ ସାମ୍ନାକୁ ଆସିଛି।