ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଅତି ଆବଶ୍ୟକ ନହେଲେ ସୁନା କିଣନ୍ତୁ ନାହିଁ

ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି; ତାସକେଣ୍ଟ ଗସ୍ତ କରିବା ପରେ, ସେ ମଙ୍ଗଳବାର କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ପହଞ୍ଚିଛନ୍ତି।ମୋଦୀ ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତ କ୍ରମରେ ବିସକେକରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗଦେବା ଅବସରରେ ଏକ ସେଲଫି-ଶୈଳୀ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ଏହି ନିବେଦନ କରିଛନ୍ତି । ଦେଶ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବାରୁ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ ”ସ୍ୱଦେଶୀ” ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।ପିଏମ୍ ମୋଦୀ କହିଛନ୍ତି ଯେ, ସାରା ବିଶ୍ୱ ଯୁଦ୍ଧ, ଅସ୍ଥିରତା ଓ ସପ୍ଲାଏ ଚେନ୍ ସମସ୍ୟାରେ ଜୁଝୁଥିବା ସମୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କୋଭିଡ୍-୧୯ ପରଠାରୁ ବିଶ୍ୱ ଅର୍ଥନୀତିରେ ସ୍ଥିରତା ଆଣିବା କଷ୍ଟକର ହୋଇଥିଲେ ମଧ୍ୟ ଭାରତ ନିଜ ବିକାଶର ଗତି ବଜାୟ ରଖିଛି ବୋଲି ସେ କହିଛନ୍ତି।