ଫୋନ୍ ନିଶା ପଡ଼ିଲା ମହଙ୍ଗା! ଅଭିନେତ୍ରୀଙ୍କ ହେଲା ଗଳା ଅପରେସନ୍

ମୋବାଇଲ୍ ଫୋନ୍ ଆଜି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ସମୟ ଫୋନ୍ ବ୍ୟବହାର କରିବା ଯେ କେତେ ଭୟଙ୍କର ହୋଇପାରେ, ତାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ଅଭିନେତ୍ରୀ ଶକିଲା | ପୂର୍ବତନ ମଲୟାଲମ୍ ଅଭିନେତ୍ରୀ ଶକୀଲାଙ୍କୁ ଗଳାରେ ଅପରେସନ୍ କରାଇବାକୁ ପଡ଼ିଛି। ଏଥିପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ ନିଜେ ସୋସିଆଲ୍ ମିଡିଆରେ କହିଛନ୍ତି।ଶକୀଲାଙ୍କ କହିବା ଅନୁସାରେ, ସେ ବିଛଣାରେ ଦୀର୍ଘ ସମୟ ଧରି ଗୋଟିଏ ପାଖ ମାଡି ସୋଉଥିଲେ ଏବଂ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରେ ଘଣ୍ଟା ଘଣ୍ଟା ଧରି ୟୁଟୁବ ଓ ଇନଷ୍ଟାଗ୍ରାମରେ ରିଲ୍ସ ଦେଖୁଥିଲେ। ଦୀର୍ଘ ସମୟ ଭୁଲ୍ ପୋଶ୍ଚର୍‌ରେ ଫୋନ୍ ବ୍ୟବହାର କରିବା ଯୋଗୁଁ ତାଙ୍କ ଗଳାରେ ଗୁରୁତର ସମସ୍ୟା ହୋଇ ଅପରେସନ୍ ଆବଶ୍ୟକ ହୋଇଥିବା ସେ କହିଛନ୍ତି।

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିବା ବେଳର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି। ଏହାସହ ପିଲାମାନଙ୍କୁ ଅଧିକ ସମୟ ଫୋନ୍ ନ ଦେବା ଏବଂ ଅନାବଶ୍ୟକ ଭିଡିଓ ନଦେଖିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।ତାଙ୍କ କହିବା କଥା—ଫୋନ୍ ନିଶ୍ଚିତ ଭାବେ ଉପଯୋଗୀ, କିନ୍ତୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ଉଚିତ୍ ନୁହେଁ। ବିଶେଷକରି ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବା କିମ୍ବା ଅନାବଶ୍ୟକ ଭିଡିଓ ଓ ରିଲ୍ସ ଦେଖିବା ଅଭ୍ୟାସରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଶକିଲା ବିଶେଷ କରି ଅଭିଭାବକମାନଙ୍କୁ ସତର୍କ କରିଛନ୍ତି। ପିଲାମାନଙ୍କ ହାତରେ ମୋବାଇଲ୍ ଦେବା ସମୟରେ ସେମାନେ କେତେ ସମୟ ଫୋନ୍ ବ୍ୟବହାର କରୁଛନ୍ତି, କେଉଁ ପ୍ରକାରର କଣ୍ଟେଣ୍ଟ ଦେଖୁଛନ୍ତି ଏବଂ ଗେମିଂରେ କେତେ ସମୟ ବିତାଉଛନ୍ତି—ତାହା ଉପରେ ନଜର ରଖିବାକୁ ସେ କହିଛନ୍ତି ।