ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା, ଟିଭି କଳାକାରଙ୍କ ପାର୍ଟିରେ ଜମୁଛି ଡ୍ରଗ୍ସର ଆସର
ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ଏକ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ । ସେ ଟିଭି ଇଣ୍ଡଷ୍ଟ୍ରିର ପାର୍ଟି ସଂସ୍କୃତିକୁ ନେଇ କିଛି ଚମକପ୍ରଦ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଅନେକ ପାର୍ଟିରେ ଅବୈଧ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସେ ନିଜ ଆଖିରେ ଦେଖିଛନ୍ତି । ସିଦ୍ଧାର୍ଥ କନ୍ନଙ୍କୁ ସାକ୍ଷାତକାର ଦେବା ବେଳେ ସେ ଏହି ଖୁଲାସା କରିଛନ୍ତି। ନାରାୟଣୀ କହିଛନ୍ତି ଯେ, ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିର ପାର୍ଟିରେ ମଦର ଆସର ଜମୁଥିଲା। ହେଲେ ଏବେ ସମୟ ବଦଳିବା ସହ ସେଲିବ୍ରେଟିଙ୍କ ଟେଷ୍ଟ ବଦଳିଛି। ଏବେ ଟିଭି କଳାକାରଙ୍କ ପାର୍ଟିରେ ଡ୍ୟାନ୍ସ ଠୁ ଅଧିକ ଡ୍ରଗ୍ସର ଆସର ଜମୁଛି। ସେ କହିଛନ୍ତି ଯେ ଏହି ପରିସ୍ଥିତି ଦେଖି ସେ ବହୁ ବର୍ଷ ପୂର୍ବରୁ ଏଭଳି ପାର୍ଟିକୁ ଯିବା ବନ୍ଦ କରିଦେଇଥିଲେ ।ଅଭିନେତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜୀବନରେ ଥରେ ସେ ନିଶାଦ୍ରବ୍ୟକୁ କେବଳ ପରୀକ୍ଷାମୂଳକ ଭାବେ ଚେଷ୍ଟା କରିଥିଲେ, କିନ୍ତୁ କେବେ ବି ଏହାର ଅଭ୍ୟାସରେ ପଡ଼ିନଥିଲେ । ସେ ଆହୁରି ଦାବି କରିଛନ୍ତି ଯେ, କେତେକ ଅଭିନେତା ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଶୁଟିଂ ମଧ୍ୟ ବାତିଲ୍ ହୋଇଥିବା ଘଟଣା ସେ ଦେଖିଛନ୍ତି । ତେବେ ସେ କୌଣସି ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହାନ୍ତି ।ନାରାୟଣୀ ଶାସ୍ତ୍ରୀ “କୋଇ ଅପନା ସା”ରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ କୁସୁମ, ପିୟା କା ଘର, କ୍ୟୁକି ସାସ୍ ଭି କଭି ବହୁ ଥି ଭଳି ହିଟ୍ ସୋରେ କାମ କରିଛନ୍ତି। ସେ ଡାନ୍ସ ରିଆଲିଟି ସୋ ନଚ ବଲିୟେରେ ଭାଗ ନେଇଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସର ବ୍ୟବହାରକୁ ନେଇ ଖୁଲାସା କରିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।