ଅମିତାଭ ବଚ୍ଚନଙ୍କ ପାଖରେ ପହଞ୍ଚିଲେ ବିଶ୍ୱର ସବୁଠୁ ଛୋଟ ଡାକ୍ତର
ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’ର ସିଜନ -୧୮ ନିକଟରେ ଆରମ୍ଭ ହୋଇଛି। ଉକ୍ତ ଶୋ’ର ଲାଟେଷ୍ଟ ଏପିସୋଡରେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ଡାକ୍ତର ଗଣେଷ ବରୈୟା ପହଞ୍ଚି ଥିଲେ। ଗୁଜରାଟର ଭାବନଗର ଜିଲ୍ଲାର ଗୋରଖି ଗାଁର ଗଣେଶ ବରୈୟା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ । ଛୋଟ କଦ ତାଙ୍କ ଜୀବନରେ ଅନେକ ପ୍ରତିବନ୍ଧକ ଆଣିଥିଲା । କିନ୍ତୁ ଗଣେଶଙ୍କ ଆତ୍ମବିଶ୍ୱାସ କେବେ ବି ଭାଙ୍ଗିନଥିଲା । ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିବା ପରେ ୨୦୧୮ରେ ଯେତେବେଳେ ସେ ମେଡିକାଲ କଲେଜରେ ଆଡମିଶନ ନେବାକୁ ଯାଇଥିଲେ, ତାଙ୍କ ଶାରୀରିକ ସ୍ଥିତି ଓ ଉଚ୍ଚତାକୁ ନେଇ ଆଡମିଶନରେ ଆପତ୍ତି ଉଠିଥିଲା । ପରେ ଦୀର୍ଘ ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେ ମେଡିକାଲ ପଢ଼ିବାର ସୁଯୋଗ ପାଇଥିଲେ । ଗଣେଶଙ୍କ ପିଲାଦିନ ମଧ୍ୟ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା । ସ୍କୁଲ ଯିବା ସମୟରେ ସେ ଅନେକଥର ବାପାଙ୍କ କାନ୍ଧର ସାହାରା ନେଉଥିଲେ । ତାଙ୍କ ଶାରୀରିକ ଗଠନକୁ ନେଇ ଲୋକଙ୍କ କଥା ମଧ୍ୟ ଶୁଣିବାକୁ ପଡ଼ିଥିଲା । ଏହି ସମୟରେ ଏକ ସର୍କସ୍ ଦଳ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଥିଲା । ଉଦ୍ଦେଶ୍ୟ ଥିଲା ଗଣେଶଙ୍କୁ ସର୍କସ୍ରେ ସାମିଲ କରିବା। କିନ୍ତୁ ଗଣେଶଙ୍କ ବାପା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ସେ ଚାହୁଁଥିଲେ ପୁଅ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେଉ । ବାପାଙ୍କ ସେହି ନିଷ୍ପତ୍ତି ଆଜି ଗଣେଶଙ୍କ ସଫଳତାର ସବୁଠାରୁ ବଡ଼ ଅଧ୍ୟାୟ । ମେଡିକାଲ ପଢ଼ା ଶେଷ କରି ଗଣେଶ ଡାକ୍ତର ହେଲେ। ପରବର୍ତ୍ତୀ ସମୟରେ ସେ ସରକାରୀ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଗଣେଶ କହିଛନ୍ତି ଯେ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଚିକିତ୍ସା କରିବା ତାଙ୍କର ବଡ଼ ଲକ୍ଷ୍ୟ । ଏବେ ଗଣେଶଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ‘କୌନ ବନେଗା କରୋଡପତି-୧୮’ର ମଞ୍ଚରେ ମଧ୍ୟ ଦେଖିବାକୁ ମିଳିଛି।କେବିସି-୧୮ର ଲାଟେଷ୍ଟ ଏପିସୋଡରେ ଗଣେଶ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଜିତି ଥିଲେ। ଅମିତାଭଙ୍କ ସାମ୍ନାରେ ହଟସିଟରେ ବସି ଥିଲେ। ସେ ୩ ଲକ୍ଷ ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ଖେଳି ପାରି ଥିଲେ। ଏହି ପଏଣ୍ଟ ଯାଏ ଗଣେଷଙ୍କ ସବୁ ଲାଇଫ୍ ଲାଇନ୍ ଶେଷ ହୋଇ ଯାଇ ଥିଲା। ଶେଷରେ ଗଣେଶ କେବିସି-୧୮ ରୁ ୨୫ହଜାର ଜିତି ଫେରି ଥିଲେ।
କେବିସି -୧୮ର କଥା ଯଦି କହିବା ତ ଏହି ଶୋ ର ଆରମ୍ଭ ୧୦ ଅଗଷ୍ଟରେ ହୋଇଛି। ଉକ୍ତ ଶୋ ର ଗତ ଅନେକ ବର୍ଷରୁ ଅମିତାଭ ବଚ୍ଚନ ହିଁ ହୋଷ୍ଟ କରୁଛନ୍ତି। କେବିସିକୁ ଅମିତାଭ ବଚ୍ଚନଙ୍କ ସହ ଯୋଡ଼ି ଲୋକେ ଦେଖନ୍ତି।