ପ୍ରବଳ ବର୍ଷାକୁ ଖାତିର କଲେନି ଅମିତାଭଙ୍କ ଫ୍ୟାନ୍ସ, ଜଲସା ବାହାରେ ଭିଡ଼ ଦେଖି ଭାବୁକ ସୁପରଷ୍ଟାର ବିଗ ବି
ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡର ବଡ଼ ବଡ଼ ସେଲିବ୍ରିଟିଙ୍କୁ ମଧ୍ୟ ନାକେଦମ୍ କଲାଣି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଇନଫ୍ଲୁଏନ୍ସର ଅମିତାଭ ବଚ୍ଚନଙ୍କ ଜୁହୁ ସ୍ଥିତ ବଙ୍ଗଳା ‘ଜନକ’ର ବର୍ତ୍ତମାନର ସ୍ଥିତି ଦେଖାଉଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବିଗ୍ ବି’ଙ୍କ ବଙ୍ଗଳା ବାହାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି ଏବଂ ବର୍ଷା ପାଣି ଧୀରେ ଧୀରେ ବଙ୍ଗଳା ଭିତରକୁ ମଧ୍ୟ ପଶିବାରେ ଲାଗିଛି। ତେବେ ସବୁଠୁ ବଡ଼ କଥା ହେଲା ବର୍ଷା ହେଉକି ଖରା… ଏଥିରେ ବିଗ୍ ବିଙ୍କ ଫ୍ୟାନ୍ସଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନି। ମୂଷଳଧାରାରେ ବର୍ଷା ସତ୍ତ୍ଵେ ଅମିତାଭଙ୍କ ଫ୍ୟାନ୍ସ ରବିବାର ତାଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ। ଫ୍ୟାନ୍ସଙ୍କ ଏଭଳି ଭଲପାଇବା ଦେଖି ଅମିତାଭ ବଚ୍ଚନ ଭାବୁକ ହୋଇପଡିଥିଲେ। ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରି ଧନ୍ୟବାଦ ଦେଇଥିଲେ। ଅମିତାଭ ଲେଖିଥିଲେ ଯେ, ଖରା ହେଉକି ଶୀତ କିମ୍ଵା ବର୍ଷା… ପ୍ରତି ରବିବାର ତାଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମେ। ସେମାନଙ୍କର ଏହି ଜୋସ୍ ଏବଂ ଭଲପାଇବା ଦେଖି ମୁଁ ଭାବୁକ ହୋଇଯାଏ। ମୁଁ କେବଳ ହାତ ଯୋଡ଼ି, ହାତ ହଲାଇ ଏବଂ ଅଟୋଗ୍ରାଫ୍ ଦେଇ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିପାରେ।