ବାଲିଯାତ୍ରାରେ ବାସି ଖାଦ୍ୟର ଫୁଡ୍ ଷ୍ଟଲ୍ରେ ଚଢ଼ାଉ
ବାଲିଯାତ୍ରାରେ ଖାଦ୍ୟପ୍ରେମୀଙ୍କ ପାଇଁ ଖରାପ ଖବର।କଟକ ବାଲିଯାତ୍ରାରେ ବାସି ଖାଦ୍ୟ ବିକ୍ରି ଅଭିଯୋଗକୁ ନେଇ ଚଢ଼ାଉ । ମେଳାରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସକାଳୁ ଅଚାନକ ଚଢ଼ାଉ କରିଛି କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ । ଏହି ଚଢ଼ାଉରେ ପାଖାପାଖି ୨ କ୍ୱିଣ୍ଟାଲ ବାସି ଖାଦ୍ୟ ଜବତ କରାଯାଇଛି ।କେବଳ ବାଲିଯାତ୍ରା ଫୁଡ୍ ଷ୍ଟଲ ନୁହେଁ, ଜାତୀୟ ପଲ୍ଲିଶ୍ରୀ ମେଳା ଭିତରୁ ମଧ୍ୟ ବାସି ଖାଦ୍ୟ ଜବତ ହୋଇଛି। ମେଳାରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନେ ଖାଦ୍ୟର ଗୁଣବତ୍ତା ଓ ସତେଜତା ପ୍ରତି କେତେ ସଚେତନ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ମେଳାରେ ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେଏମସିର ଏହି ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ। ବାସି ଖାଦ୍ୟ ଜବତ କରି ନଷ୍ଟ କରାଯିବା ପରେ ଦୋକାନୀମାନେ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବିକ୍ରି ସମୟରେ ସତର୍କ ରହିବା ଆବଶ୍ୟକ।ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ଜାରି ରହିଥିବା ବେଳେ ମେଳାକୁ ଆସୁଥିବା ଲୋକଙ୍କୁ ସୁରକ୍ଷିତ ଓ ଗୁଣବତ୍ତାଯୁକ୍ତ ଖାଦ୍ୟ ଯୋଗାଇବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ।