ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ ; ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ନେଉଥିଲେ ଲାଞ୍ଚ
ମୃତ୍ୟୁ ପ୍ରମାଣପତ୍ର କରାଇବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ସମ୍ବଲପୁର ଜିଲ୍ଲା ଥେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ କାର୍ଯ୍ୟରତ ମଲ୍ଟି ପର୍ପୋଜ୍ ହେଲ୍ଥ ୱାର୍କର ହରିହର ପ୍ରଧାନଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଓଡ଼ିଶା ଭିଜିଲାନ୍ସ ଧରିଛି । ସୂଚନା ଅନୁଯାୟୀ ଅଭିଯୋଗକାରୀ ତାଙ୍କ ମୃତ ମାମୁଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ୬ ମାସ ପୂର୍ବରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କରିଥିଲେ। ହେଲେ ପ୍ରମାଣପତ୍ର ପ୍ରଦାନ ପାଇଁ ହରିହର ପ୍ରକ୍ରିୟା ଆରମ୍ଭ କରୁନଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ କାମ ନକରିବା ସହ ଏଥିପାଇଁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଆବେଦନକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ହରିହର ପ୍ରଧାନଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୨୩/୨୦୨୬ ରୁଜୁ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।