ଭାଙ୍ଗିଲା କୋଟି କୋଟି ଫ୍ୟାନଙ୍କ ହୃଦୟ : ଆଇପିଏଲରେ ଦିଶିବେ ଧୋନି

ଆଇପିଏଲ୍‌ରୁ ଅବସର ନେଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ। ଆଉ ଚେନ୍ନାଇ ସୁପର କିଙ୍ଗ୍ସର ହଳଦିଆ ଜର୍ସି ପିନ୍ଧି ପଡ଼ିଆରେ ଖେଳୁଥିବାର ନଜର ଆସିବେନି ମାହି। ଆଇପିଏଲ୍‌ ୨୦୨୭ ପୂର୍ବରୁ ଧୋନୀଙ୍କୁ ନେଇ ଆସିଛି ବଡ଼ ଖବର। ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀଙ୍କୁ ଦଳର ନୂଆ ମେଣ୍ଟର ଭାବେ ନିଯୁକ୍ତ କରିଛି। ଏନେଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ସବୁ ଫର୍ମାଟରେ ଭାରତକୁ ଅନେକ ବିଜୟ ଦେଇଥିବା ଧୋନି ଆଇପିଏଲରେ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ୫ଥର ଚାମ୍ପିଅନ୍ କରାଇଥିଲେ । ସିଏସକେ’ର ସେ ଖାଲି ଖେଳାଳି ନଥିଲେ …ଥିଲେ ବ୍ରାଣ୍ଡ ଆମ୍ବାସଡର । ତେଣୁ ତାଙ୍କର ଅଭିଜ୍ଞତା ଦଳ ପାଇଁ ମୂଲ୍ୟବାନ । ସେଥିଲାଗି ସେ ଏବେ ଖେଳାଳି ଭାବେ ନୁହେଁ ମେଣ୍ଟର ଭାବେ ଦଳକୁ ପରାମର୍ଶ ଦେବେ ।ନିଜର ଦୀର୍ଘବର୍ଷର ଅଭିଜ୍ଞତା ବାଣ୍ଟିବା ସହ ଦଳର ରଣନୀତି ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି। ବିଶେଷ କରି ଆଇପିଏଲ୍‌ ୨୦୨୭ରେ ଚେନ୍ନାଇକୁ ପୁଣି ଚାମ୍ପିଅନ୍ କରିବା ଦିଗରେ ଧୋନୀଙ୍କ ଅଭିଜ୍ଞତା ବେଶ୍ ଉପଯୋଗୀ ହୋଇପାରେ। ଅନ୍ୟପଟେ ଧୋନୀଙ୍କ ଅବସର ଖବର ପ୍ରଶଂସକଙ୍କୁ ଭାବବିହ୍ୱଳ କରିଛି। କାରଣ ଚେନ୍ନାଇ ପ୍ରଶଂସକଙ୍କ ପାଇଁ ଧୋନୀ କେବଳ ଜଣେ ଖେଳାଳି ନୁହନ୍ତି, ବରଂ ଏକ ଭାବନା।