ଭିଜିଲାନ୍ସ ଜାଲରେ ବାଲିଆପାଳ ମହିଳା ସବ୍-ରେଜିଷ୍ଟ୍ରାର

ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ର। ଜମି ରେଜିଷ୍ଟ୍ରି କରାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ବାରିପଦା ଭିଜିଲାନ୍ସ ବିଭାଗ ।ଭିଜିଲାନ୍ସ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଜମିର ପରିମାଣ ୦.୧୪ ଏକର ହୋଇଥିବାବେଳେ ଏହାର କିସମ ‘ବାଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡଭୁକ୍ତ ରହିଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଏହାର ପଞ୍ଜୀକରଣ କରାଯାଇ ପାରିବ। ଏନେଇ ଜମି କ୍ରେତା ବାରମ୍ବାର ସବ୍‌ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ବରଂ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଯୋଜନା ଅନୁସାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ସେ ୭ ହଜାର ଟଙ୍କା ନେଇ ସବ୍ ରେଜିଷ୍ଟ୍ରାର୍ଙ୍କ ନିକଟକୁ ଯାଇଥିଲେ। ମନୀଷା ମିଶ୍ର ଟଙ୍କା ଗ୍ରହଣ କରିବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସର ୮ ଜଣିଆ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ୭ ହଜାର ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।