କୋଟିଆରୁ ହଟିଲା ଆନ୍ଧ୍ରର ଚେକ୍ ପୋଷ୍ଟ, ନିଜ ନିୟନ୍ତ୍ରଣକୁ ନେଲା ଓଡ଼ିଶା ପୁଲିସ

କୋଟିଆ ପ୍ରସଙ୍ଗ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ । କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି। କୋଟିଆର କିଛି ଗାଁରୁ ଅଳ୍ପ ସଂଖ୍ୟକ ଲୋକ ଆନ୍ଧ୍ରପ୍ରଦେଶରେ ଭୋଟ ଦେବାକୁ ଯାଇଥିବାର ସୂଚନା ମିଳିଛି।ଅନ୍ୟପଟେ ଭୋଟ ଦେଇ ଫେରିବା ସମୟରେ ଗାଁରେ ଜଗି ରହିଥିବା ଅନ୍ୟ ଲୋକମାନେ ସେମାନଙ୍କୁ ଭର୍ତ୍ସନା କରିଥିବା ମନ୍ତ୍ରୀ କହିଛନ୍ତି। ଆନ୍ଧ୍ର ସରକାରଙ୍କ ଏହି ଉଦ୍ୟମ ବିଫଳ ହୋଇଥିବା ଦାବି କରିଛନ୍ତି ସୁରେଶ ପୂଜାରୀ।କୋଟିଆକୁ ନେଇ ବିବାଦ ଆଜିର ନୁହେଁ। ହେଲେ ଏହି ବିବାଦ ଭିତରେ ଆନ୍ଧ୍ର ଧୀରେ ଧୀରେ ନିଜର ପ୍ରଭାବ ବଢ଼ାଇ ଚାଲିଛି। ୨୭୦୦ରୁ ଅଧିକ ଭୋଟର ଆନ୍ଧ୍ର ତାଲିକାରେ ସାମିଲ ହେବା ଏହାର ଏକ ବଡ଼ ଉଦାହରଣ । ଦୁଇ ରାଜ୍ୟର ଯୋଜନା ଭିତରେ କୋଟିଆବାସୀଙ୍କ ପରିଚୟକୁ ନେଇ ଉଠିଛି ପ୍ରଶ୍ନ । ଏବେ ଓଡ଼ିଶାର ଆହ୍ୱାନ, କେବଳ ଅଧିକାର ଦାବି ନୁହେଁ, ବରଂ ଲୋକଙ୍କ ଆସ୍ଥା ଜିତିବାର । ତେବେ କୋଟିଆ ସୀମା ବିବାଦ ମଧ୍ୟରେ ଆନ୍ଧ୍ରର ଚେକ୍ ପୋଷ୍ଟକୁ ନେଇ ବଡ଼ ଖବର। କୋଟିଆ ପଞ୍ଚାୟତର ଉପର ସେମ୍ବି ଗାଁରେ ଥିବା ଆନ୍ଧ୍ରର ଚେକ୍ ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଇଛି ଓଡ଼ିଶା ପୁଲିସ । ଦୀର୍ଘ ଦିନ ଧରି ଏହି ଚେକ୍ ପୋଷ୍ଟ ଜରିଆରେ ଆନ୍ଧ୍ର ପୁଲିସ କୋଟିଆ ଅଞ୍ଚଳର ଗତିବିଧି ଉପରେ ନଜର ରଖୁଥିବା ଅଭିଯୋଗ ରହିଥିଲା ।ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଏକ ଚର୍ଚ୍ଚକୁ ପୁଲିସ ଫାଣ୍ଡି ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚେକ୍ ପୋଷ୍ଟଟି ସାଧାରଣ ଲୋକଙ୍କ ନଜରକୁ ସେତେଟା ଆସୁନଥିଲା ବୋଲି କୁହାଯାଉଛି ।ଏହି ଚେକ୍ ପୋଷ୍ଟକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା ରହିଛି । ଏହା ସିଧାସଳଖ ଆନ୍ଧ୍ରର ପାର୍ବତୀପୁରମ୍‌ରେ ଥିବା ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଡ଼ି ହୋଇଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ ଓଡ଼ିଶା ପୁଲିସ ଜାଣିବା ପରେ ଚେକ୍ ପୋଷ୍ଟକୁ ହଟାଇବା ସହ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି ।