ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟ୍ ! କୋଟିଆରେ ଗ୍ରାଉଣ୍ଡ ଜିରୋରେ କୋରାପୁଟ ପ୍ରଶାସନର କସରତ
ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟ୍ । ହେଲେ ନଜରରେ ବିବାଦୀୟ କୋଟିଆ ଅଞ୍ଚଳ । ଓଡ଼ିଶାର ତୀବ୍ର ବିରୋଧ ପରେ ନଇଁଛି ଆନ୍ଧ୍ର। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି ହୋଇ ଆନ୍ଧ୍ର ଗୋ ବ୍ୟାକ୍, ଆନ୍ଧ୍ର ଦାଦାଗିରି ଚଳିବ ନାହିଁ ନାରା ଦେଇଥିଲେ। ଓଡ଼ିଶାର ବିରୋଧ ଆଗରେ ଆନ୍ଧ୍ର ମୁଣ୍ଡ ନୁଆଁଇ ନେରିଡ଼ିବାଲସାରେ ବୁଥ୍ କରୁ ନ ଥିବା ଜଣାପଡ଼ିଛି। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଭୋଟ ନେବାପାଇଁ ଆନ୍ଧ୍ର ନେରିଡ଼ିବାଲସାରୁ ୧ କି.ମି. ଦୂରରେ ରହିଥିବା ସାରିକି ପଞ୍ଚାୟତରେ ବୁଥ୍ କରାଇଛି। ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୋଲିସ ଚେକ୍ ପୋଷ୍ଟକୁ ଭାଙ୍ଗି କବଜାକୁ ନେଇଥିଲା ଓଡ଼ିଶା। କୋଟିଆର ସମସ୍ତ ୨୧ ଗ୍ରାମରେ ଲାଗିଛି BNSS-163। ୩ଟି ଚେକ୍ ଗେଟରେ ରଖାଯାଇଛି ୨୪ ଘଣ୍ଟିଆ ନଜର। ଆନ୍ଧ୍ରର ଜବରଦସ୍ତି ନିର୍ବାଚନକୁ ପ୍ରତିହତ ପାଇଁ ନେରେଡିବାଲସାରେ ୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।