ହ୍ରଦରେ ଓଲଟିଲା SDRFର ୨ ନୌକା; ୧୦ ଯବାନ ନିଖୋଜ

ତେଲଙ୍ଗାନାରେ ବଡ଼ ଅଘଟଣ । ବନ୍ୟା ପାଣିରେ ଓଲଟିଲା ୨ ଉଦ୍ଧାରକାରୀ ବୋଟ୍ । ୧୧ ଯବାନ ନିଖୋଜ । ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ ଅଘଟଣ ।। ପ୍ରବଳ ପବନ ଏବଂ ପାଣିର ପ୍ରଖର ସ୍ରୋତ କାରଣରୁ ଏହି ଅଘଟଣ ଘଟିଛି |ଘଟଣାସ୍ଥଳରେ ଏବେ ଡିପ୍-ସି ଡାଇଭର୍ସ ଏବଂ ବାଙ୍ଗାରୁ ଉଦ୍ଧାରକାରୀ ଦଳ ନିଖୋଜ ଯବାନମାନଙ୍କୁ ଖୋଜିବା ପାଇଁ ଅତ୍ୟନ୍ତ ତତ୍ପରତାର ସହ ତଲାସୀ ଅଭିଯାନ ଜାରି ରଖିଛନ୍ତି ।ସୂଚନା ମୁତାବକ, ଖମ୍ମମ୍ ଜିଲ୍ଲାର ସଥୁପଲ୍ଲୀ ମଣ୍ଡଳରେ ଅବସ୍ଥିତ ବେଥୁପଲ୍ଲୀ ହ୍ରଦରେ ୫ ଜଣ ମତ୍ସଜୀବୀ ମଝି ହ୍ରଦରେ ଫସି ରହିଥିଲେ । ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ SDRF ଟିମ୍ ତୁରନ୍ତ ଦୁଇଟି ନୌକାରେ ସେଠାକୁ ଯାଇଥିଲେ । କିନ୍ତୁ ହ୍ରଦ ମଧ୍ୟରେ ହଠାତ୍ ବହିଥିବା ପ୍ରବଳ ବେଗର ପବନ ଏବଂ ଜଳରାଶିର ପ୍ରଖର ସ୍ରୋତ ଆଗରେ ନୌକାଗୁଡ଼ିକ ଭାରସାମ୍ୟ ରଖିବାରେ ବିଫଳ ହୋଇଥିଲା ଏବଂ ହଠାତ୍ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ପ୍ରଶାସନିକ ସ୍ତରରେ ଗଭୀର ଉତ୍ତେଜନା ଓ ଚାପା ଆତଙ୍କ ଦେଖାଦେଇଛି । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।ରାଜ୍ୟ ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଉଦ୍ଧାରକାରୀମାନେ ନିଜେ ବିପଦରେ ପଡ଼ିଥିବା ଏହି ଘଟଣା ଚିନ୍ତା ବଢ଼ାଇଛି।