ମହାକାଶରେ ଭାରତକୁ ବଡ଼ ସଫଳତା; କକ୍ଷପଥରେ NVS-03 ସାଟେଲାଇଟ୍

ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ ଜିପିଏସ୍ ସିଷ୍ଟମ ମିଳିଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶୁକ୍ରବାର ରାତିରେ ପରବର୍ତ୍ତୀ ପିଢ଼ିର ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି ୧୧ଟା ୫୧ ମିନିଟ୍ ରେ GSLV-F18 ରକେଟ୍ ମହାକାଶ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାପରେ ଉପଗ୍ରହକୁ ନିର୍ଦ୍ଧାରିତ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥରେ ସ୍ଥାପନ କରାଯାଇଛି । NVS-03 ହେଉଛି ଭାରତର ଦ୍ୱିତୀୟ ପିଢ଼ିର ତୃତୀୟ ନାଭିଗେସନ୍ ଉପଗ୍ରହ । ଏହାର ଓଜନ ପ୍ରାୟ ୨ ହଜାର ୨୩୨ କିଲୋଗ୍ରାମ୍ ।ନାଭିକ୍ ହେଉଛି ଭାରତର ନିଜସ୍ୱ ସାଟେଲାଇଟ୍ ନାଭିଗେସନ୍ ବ୍ୟବସ୍ଥା । ଆମେରିକାର GPS ଭଳି ଏହା ମଧ୍ୟ ସ୍ଥାନ ନିର୍ଣ୍ଣୟ, ଦିଗ ନିର୍ଦ୍ଦେଶନା ଏବଂ ସଠିକ୍ ସମୟ ସମ୍ପର୍କିତ ସୂଚନା ଯୋଗାଇଥାଏ । ଭାରତ ସମେତ ଦେଶର ସୀମାଠାରୁ ପ୍ରାୟ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଏହି ବ୍ୟବସ୍ଥାର ସେବା ପରିସରରେ ରଖିବା ଲକ୍ଷ୍ୟ ରହିଛି । NVS-03 ଉପଗ୍ରହରେ ସ୍ୱଦେଶୀ ଆଟମିକ୍ କ୍ଲକ୍ ବା ପରମାଣୁ ଘଡ଼ି ଲଗାଯାଇଛି ।ଏଥିରେ ରହିଥିବା ଏଲ୍୫/ ଏସ୍ ସିଗ୍ନାଲ ବ୍ୟତୀତ ଏଲ୍-୧ ସିଗ୍ନାଲ ମଧ୍ୟ ରହିଛି । ୧୯୯୯ କାର୍ଗିଲ ଯୁଦ୍ଧ ପରେ ନାଭ୍ଆଇସି ଉପଗ୍ରହ ନିର୍ମାଣ କରିବାର ଆବଶ୍ୟକତା ପଡିଥିଲା । କାରଣ ସେତେବେଳେ ଭାରତ ଆମେରିକା ଜିପିଏସ୍ ଠାରୁ ସୈନ୍ୟକ୍ଷେତ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ମାଗିଥିଲା । କିନ୍ତୁ ଆମେରିକା ଦେବାକୁ ମନା କରିଦେଇଥିଲା । ଏହା ପରେ ଭାରତ ନିଜସ୍ୱ ଜିପିଏସ୍ ପ୍ରସ୍ତୁତ କରିଥିଲା । ଏହି ଉପଗ୍ରହ ଫଳରେ ସେନାକୁ ଉନ୍ନତ ତଥା ସଠିକ୍ ନାଭିଗେସନ ମିଳିପାରିବ । ନାଭ୍ଆଇସି ଜିପିଏସ୍‌ରେ ସ୍ଥାନ ନେବନାହିଁ । କାରଣ ଜିପିଏସ୍ ସମଗ୍ର ବିଶ୍ୱରେ କାମ କରିଥାଏ । କିନ୍ତୁ ନାଭ୍ଆଇସି ଭାରତ ସମେତ ଏହାର ଆଖପାଖ ଅଞ୍ଚଳରେ କାମ କରିବ । ନାଭ୍ଆଇସିର ଉଦ୍ଦେଶ୍ୟ ଜିପିଏସ୍‌କୁ ହଟାଇବା ନୁହେଁ, ବରଂ ବିଦେଶୀ ପ୍ରଣାଳୀ ଉପରେ ଭାରତର ନିର୍ଭରତା ହ୍ରାସ କରିବା ଲାଗି ଏହି ଉପଗ୍ରହକୁ ମହାକାଶ ପଠାଯାଇଛି ।