ଲଣ୍ଡନ ପଢ଼ିବାକୁ ଯାଇଥିଲେ ହେଲେ ପୁଣେରୁ ମିଳିଲା ମୃତଦେହ
MBA ପଢ଼ିବାକୁ ଯାଇଥିଲେ ଲଣ୍ଡନ। ପରିବାର ଭାବୁଥିଲେ ଝିଅ ବିଦେଶରେ ପାଠପଢ଼ା କରୁଛି। ହେଲେ ଅଗଷ୍ଟ ମାସରୁ ସେ ଭାରତ ଫେରି ଆସି ପୁଣେରେ ରହୁଥିଲେ। ଏକଥା ପରିବାରକୁ ଜଣାଇନଥିଲେ।ମୃତ ମହିଳା ହେଉଛନ୍ତି ୩୪ ବର୍ଷୀୟା ମୁଗ୍ଧା ଅବିନାଶ ଦେଶମୁଖ। ପିମ୍ପ୍ରି ଚିଞ୍ଚୱାଡ଼ର ଗହୁଞ୍ଜେ ସ୍ଥିତ ଏକ ଆପାର୍ଟମେଣ୍ଟର ଏକ ବନ୍ଦ ଫ୍ଲାଟରୁ ମିଳିଛି ତାଙ୍କ ମୃତଦେହ ।୨୦୨୫ରେ ସେ ଲଣ୍ଡନ ଯାଇଥିଲେ ଏମବିଏ ପଢ଼ିବାକୁ । ପରିବାର ଲୋକେ ଭାବୁଥିଲେ ସେ ଲଣ୍ଡନରେ ରହି MBA ପଢୁଛନ୍ତି । କିନ୍ତୁ ଏକ ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ର ତଥ୍ୟରୁ ଜଣାପଡ଼ିଥିଲା, ସେ ମାସେ ପୂର୍ବରୁ ଗୋପନରେ ଭାରତ ଫେରିଆସିଥିଲେ । ଗତ ୨୪ ତାରିଖରୁ ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଥିଲା । ତାଙ୍କୁ ନପାଇ ବାପା ମାଆ ପୋଲିସରେ ଅଭିଯୋଗ କରିଥିଲେ । ଅନଲାଇନ୍ ଆପ୍ ଓ ଫୁଡ୍ ଡେଲିଭରୀ ଠିକଣା ଖୋଜି ତାଙ୍କ ମୃତଦେହ ଥିବା ଫ୍ଲାଟରେ ପହଞ୍ଚିଥିଲା ପୋଲିସ ।ସ୍ୱାମୀଙ୍କ ମୃତ୍ୟୁ ପରେ ମୁଗ୍ଧା ଜୁଲାଇ ୨୦୨୫ରେ ୟୁକେ ଚାଲିଯାଇଥିଲେ । ସେ ଭିଡିଓ କଲ୍ ଏବଂ ମେସେଜ୍ ମାଧ୍ୟମରେ ନିଜ ବାପାମାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଅଗଷ୍ଟ ୨୦୨୬ ଶେଷ ଆଡ଼କୁ ସେ ୟୁକେ ଛାଡ଼ିଥିଲେ । କିନ୍ତୁ ଏକଥା ତାଙ୍କ ବାପାମାଆଙ୍କୁ ଗୋପନ ରଖିଥିଲେ । ଅକ୍ଟୋବର ୨୩ରେ ସେ ଶେଷ ଥର ପାଇଁ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ । ଅକ୍ଟୋବର ୨୪ ରୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ଲଣ୍ଡନରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା, ସେ ଭାରତ ଫେରି ଆସିଛନ୍ତି ।
ଏହାପରେ ତାଙ୍କ ବାପା ଝିଅର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ଜାଣିବାକୁ ପାଇଲେ ଯେ ଅକ୍ଟୋବର ୮ ରୁ ୨୫ ମଧ୍ୟରେ ସ୍ଥାନୀୟ ଫୁଡ୍ ଡେଲିଭରି ଏବଂ ଅନଲାଇନ୍ ଆପ୍ସ ମାଧ୍ୟମରେ କାରବାର ହୋଇଛି ।ପୋଲିସ ତଦନ୍ତ କରି ମୁଗ୍ଧାଙ୍କ ଲୋକେସନ୍ ପୁଣେର ପିମ୍ପରି-ଚିଞ୍ଚୱାଡ୍ ଅନ୍ତର୍ଗତ ଗହୁଞ୍ଜେସ୍ଥିତ ଲୋଢ଼ା ବେଲମୋଣ୍ଡୋ ଆବାସିକ କମ୍ପ୍ଲେକ୍ସରେ ଥିବା ଜାଣିବାକୁ ପାଇଥିଲା। ଏହାପରେ ସ୍ଥାନୀୟ ଶିରଗାଓଁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଜଣେ ତାଲା ଖୋଲାଳିଙ୍କ ସହାୟତାରେ ଫ୍ଲାଟରେ ପ୍ରବେଶ କରିଥିଲା। ହେଲେ ସେଠାରେ ମୁଗ୍ଧାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସର କହିବା ଅନୁସାରେ, ମୃତଦେହରେ କୌଣସି ଦୃଶ୍ୟମାନ ଆଘାତ ଚିହ୍ନ ନଥିଲା। ପୋଷ୍ଟମର୍ଟମ ପରୀକ୍ଷାରୁ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।