ମାଟି ତଳେ ୨ ହଜାର ବର୍ଷର ସମୃଦ୍ଧ ସହର । ପ୍ରତ୍ନତାତ୍ତ୍ୱିକ ଉତଖନନରୁ ମିଳିଲା ପ୍ରାଚୀନ ସଭ୍ୟତାର ଗୁପ୍ତ ଇତିହାସ

ମାଟି ତଳୁ ବାହାରିଛି ପ୍ରାୟ ୨ ହଜାର ବର୍ଷ ତଳର ଏକ ସମୃଦ୍ଧ ଓ ବିକଶିତ ସହର । ରେଢ଼ାଖୋଲ ଉପଖଣ୍ଡ ପୁରୁଣାଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତଖନନରୁ ମିଳିଛି ପ୍ରାଚୀନ ସଭ୍ୟତାର ଏକ ଗୁପ୍ତ ଇତିହାସ ।ଏଠାରୁ କେବଳ ମାଟିପାତ୍ର କିମ୍ବା ଅଳଙ୍କାର ନୁହେଁ, ବରଂ ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି । ଯାହା ଏହି ଅଞ୍ଚଳରେ ଏକଦା ଏକ ବଡ଼ ଲୌହ ଶିଳ୍ପ ଗଢ଼ି ଉଠିଥିବାର ସୂଚନା ଦେଉଛି ।ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରୁ ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ପ୍ରାକ୍ ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି । ସେହିପରି ପ୍ରାଚୀନ କାଳର ମାଳି, ମାଟିପାତ୍ର, ମୁଦି, ଶିଳ ଏବଂ ଅନେକ ପଥର ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଖନନ ଅଞ୍ଚଳରେ ବିସ୍ତାରିତ ବହୁ ପରିମାଣର ଲୌହ ଖଣ୍ଡ ମିଳିଛି । ଯାହା ସୂଚାଇ ଦେଉଛି ଯେ ପୁରୁଣାଗଡ଼ରେ ଏକ ସମୃଦ୍ଧ ଲୁହା ତରଳାଇବା ଶିଳ୍ପ ଥିଲା । 

ଦୀର୍ଘ ୨ ବର୍ଷର ନିରନ୍ତର ଗବେଷଣା ଏବଂ ଅନୁସନ୍ଧାନ ପରେ ଶେଷରେ ଏହି ଗୁପ୍ତ ଐତିହାସିକ ସ୍ଥାନକୁ ଚିହ୍ନଟ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ଦେଶର ପ୍ରତ୍ନତତ୍ଵ ସର୍ବେକ୍ଷଣ ବିଭାଗର ଅନୁମତି ପରେ ଏହାର ଉତଖନନ କରାଯାଉଛି ।GMU ଇତିହାସ ବିଭାଗର ମୁଖ୍ୟ ତଥା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଅତୁଲ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଗବେଷକ ଓ ଛାତ୍ରଛାତ୍ରୀମାନେ ଗତ ମେ ୧୪ ତାରିଖରୁ ଏହି ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଏନେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଛନ୍ତି,”ଏହି ଉତଖନନର ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥିବା ଆବିଷ୍କାରଗୁଡ଼ିକ ଦୃଢ଼ ଭାବରେ ସୂଚାଇ ଦେଉଛି ଯେ, ପୁରୁଣାଗଡ଼ରେ କେବଳ ଏକ ଜନବସତି ନୁହେଁ ବରଂ ଏକ ପ୍ରାଚୀନ ସହର ଏବଂ ପାରମ୍ପରିକ ଲୁହା ତରଳାଇବା କାର୍ଯ୍ୟ ସହିତ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ସହରାଞ୍ଚଳ ଥିଲା ।ଏହି ପ୍ରମାଣଗୁଡ଼ିକ ପଶ୍ଚିମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ଇତିହାସକୁ ବୁଝିବା ପାଇଁ ଏକ ନୂତନ ଦିଗନ୍ତ ଖୋଲିବ ।”