ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ

ପଶ୍ଚିମ ଓଡ଼ିଶା ତାତିର ଜ୍ବାଳାରେ ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଆଜି ଉପକୂଳ ଓଡ଼ିଶାର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ହେଲେ ଅଧିକ ଆର୍ଦ୍ରତା ଯୋଗୁଁ ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା। ଅନ୍ୟପଟେ ମେ’ଶେଷ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାକୁ ତାତି ଏବଂ ଉପକୂଳକୁ ଗୁଳୁଗୁଳିରୁ ମୁକ୍ତି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତେବେ ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ପାଗ ବଦଳିବ ଓ ତାପମାତ୍ରା କମିବ। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ। ଯାହାକି ସ୍ଵାଭାବିକ କିମ୍ଵା ସାମାନ୍ୟ ଆଗୁଆ ହୋଇପାରେ ବୋଲି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।