କଟକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି,୫୩୬ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
ବାତ୍ୟା ଆସିବା ପୂର୍ବରୁ ଆକ୍ସନ ମୋଡ୍ରେ କଟକ ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବାତ୍ୟାକୁ ନେଇ କଟକ ଜିଲ୍ଲାରେ ଜୋରଦାର ପ୍ରସ୍ତୁତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟାଲୋଚନ ମହନ୍ତଙ୍କ ସାମ୍ବାଦିକ ସମ୍ମିଳନୀ । କଟକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୨୬ ତାରିଖରେ ୟେଲୋ ଆଲର୍ଟ, ୨୭ ଓ ୨୮ ତାରିଖରେ ଅରେଞ୍ଜ ଆଲର୍ଟ ଜାରି କରିଛି । ପବନ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି । ଜିରୋ କାଜୁଆଲିଟି ବା ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ଚାଲିଛି ସମସ୍ତ ପ୍ରସ୍ତୁତି । ନଦୀ କୂଳିଆ ଗାଁଠୁ ଆରମ୍ଭ କରି ସହରର ଜଳବନ୍ଦୀ ସମସ୍ୟା ପର୍ଯ୍ୟନ୍ତ, ସବୁ ଦିଗ ଉପରେ ରହିବ ପ୍ରଶାସନର ନଜର ।ମହାନଦୀ ଓ କାଠଯୋଡ଼ି ନଦୀର ଜଳସ୍ତର ଏବଂ ନଦୀ କୂଳିଆ ଅଞ୍ଚଳ ଉପରେ ରହିବ ସ୍ୱତନ୍ତ୍ର ନଜର । ମହାନଦୀ ଅବବାହିକାର ୪୭୪ଟି ଏବଂ କାଠଯୋଡ଼ି ଅବବାହିକାର ୨୩ଟି ଗାଁ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଆବଶ୍ୟକ ପଡ଼ିଲେ ୨୬ ତାରିଖରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ୫୩୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ସେଠାରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଯୋଜନା ହୋଇଛି । ପ୍ରତ୍ୟେକ ସ୍ଥାନରେ ନିୟୋଜିତ ହେବେ ନୋଡାଲ ଅଫିସର ।