ଦିଲ୍ଲୀ ସ୍କୁଲରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମଦାହ: ଗାର୍ଡ଼ ରୁମ୍ ପଛରେ ମିଳିଲା ପୋଡ଼ା ଶବ
ଏକ ଚାଞ୍ଚଲ୍ୟକର ଘଟଣାକ୍ରମେ ଦିଲ୍ଲୀର ଏକ ସ୍କୁଲରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ପୋଡ଼ି ଯାଇଥିବା ଅବସ୍ଥାରେ ମିଳିଛି। ସ୍କୁଲର ଗାର୍ଡ଼ ରୁମ୍ ପଛରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ତେବେ ଛାତ୍ରଙ୍କ ବ୍ୟାଗରୁ ମିଳିଥିବା ଏକ ସୁଇସାଇଡ୍ ନୋଟ୍ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।ପୁଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶନିବାର ସ୍କୁଲରେ ନିଆଁ ଲାଗିଥିବା ନେଇ ପିସିଆରକୁ କଲ୍ ଆସିଥିଲା । ଖବର ପାଇ କୃଷ୍ଣାନଗର ଥାନା ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍କୁଲର ଗାର୍ଡ ରୁମ୍ ପଛପଟେ ଉକ୍ତ ଛାତ୍ରୀ ଜଣକ ଗୁରୁତର ପୋଡ଼ିଯାଇଥିବା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଛାତ୍ରୀଙ୍କ ବ୍ୟାଗରୁ ତିନି ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ଏହି ଘଟଣା ଶାହଦରା ଜିଲ୍ଲାର କୃଷ୍ଣାନଗର ସ୍ଥିତ ସର୍ବୋଦୟ ବାଳିକା ବିଦ୍ୟାଳୟର ବୋଲି କୁହାଯାଉଛି।ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ତଦନ୍ତରୁ ଏହି ମାମଲାରେ ପ୍ରେମ ଦୃଷ୍ଟିକୋଣ ଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ଛାତ୍ରୀଙ୍କ ଜନ୍ମଦିନ ଥିଲା। ତାଙ୍କୁ ୧୯ ବର୍ଷ ହୋଇଥିଲା। କିନ୍ତୁ ସେ ଆଜି ଆତ୍ମହତ୍ୟା କରିଛନ୍ତି। ସେ ସ୍କୁଲ ଭିତରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କ୍ରାଇମ୍ ସିନ୍ ଟିମ୍, ଅଗ୍ନିଶମ ବାହିନୀ ଓ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଛାତ୍ରୀ ଜଣକ କାହିଁକି ସ୍କୁଲରେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ କରୁଛି। ଅପରାଧ ସ୍ଥଳର ତଦନ୍ତ ଓ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ ପାଇଁ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।