ପାକିସ୍ତାନରେ ଗ୍ୟାସ ସିଲିଣ୍ଡର ଦାମ ୮ ହଜାର ଟଙ୍କା ପାର୍
ଘରୋଇ ରନ୍ଧନ ଗ୍ୟାସ୍ ସଙ୍କଟରେ ପଡ଼ିଛି ପାକିସ୍ତାନ। ଗ୍ୟାସ୍ ଯୋଗାଣ କମିବା ସହିତ ଏହାର ଦାମ୍ ମଧ୍ୟ ଆକାଶଛୁଆଁ ହୋଇଛି। କେତେକ ଅଞ୍ଚଳରେ ୧୨ କିଲୋଗ୍ରାମ୍ ଏଲ୍ପିଜି ସିଲିଣ୍ଡର ଦାମ୍ ୮,୦୦୦ ପାକିସ୍ତାନୀ ଟଙ୍କା ଅତିକ୍ରମ କରିଛି। ଫଳରେ ସାଧାରଣ ଲୋକଙ୍କ ରୋଷେଇ ଖର୍ଚ୍ଚ ବଢ଼ିବା ସହ ଆଗାମୀ ଶୀତ ଋତୁରେ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ସୃଷ୍ଟି ହୋଇଛି।ଅକ୍ଟୋବର ୧୭ ତାରିଖରେ ପାକିସ୍ତାନ ଓ ଇରାନ୍ ମଧ୍ୟରେ ଥିବା ଦୁଇଟି ପ୍ରମୁଖ ସୀମା ପଥ ଗବ୍ଦ-ରିମଦାନ ଏବଂ ତଫ୍ତାନ ଦେଇ ବାଣିଜ୍ୟ କାରବାର ବନ୍ଦ କରାଯାଇଥିଲା । ପାକିସ୍ତାନର ବଲୁଚିସ୍ତାନ ସରକାର ସୁରକ୍ଷା ଓ ଚୋରା ଚାଲାଣ ରୋକିବାକୁ ଏହାର କାରଣ ବୋଲି କହିଥିବା ବେଳେ ଇରାନ୍ ବୈଷୟିକ ସମସ୍ୟାକୁ ଦାୟୀ କରିଛି । ତେବେ ଆମେରିକାର ଚାପ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚାକୁ ପାକିସ୍ତାନ ଖଣ୍ଡନ କରିଛି ।ବ୍ୟବସାୟୀ ଓ ପାକିସ୍ତାନ ଏଲ୍ପିଜି ସଂଘର ସୂଚନା ଅନୁସାରେ, ପୂର୍ବରୁ ୧୨ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ ପ୍ରାୟ ୪,୫୦୦ ଥିବାବେଳେ ଏବେ ଏହା ବିଭିନ୍ନ ଅଞ୍ଚଳରେ ୭,୦୦୦ରୁ ୮,୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।ବାଲୁଚିସ୍ତାନ: ପ୍ରାୟ ୭,୦୦୦ ଟଙ୍କା ,ଲାହୋର: ପ୍ରାୟ ୭,୫୦୦ ଟଙ୍କା ଏବଂ ସ୍କାର୍ଦୁରେ ପ୍ରାୟ ୮,୨୦୦ ଟଙ୍କ ରହିଛି lଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେଉଛି ବିକଳ୍ପ ଉତ୍ସରୁ ଗ୍ୟାସ୍ ଆମଦାନୀ କରିବା ଏବଂ ବଢ଼ୁଥିବା ଦରକୁ ନିୟନ୍ତ୍ରଣ କରିବା । ସୀମା ବାଣିଜ୍ୟ ଶୀଘ୍ର ସ୍ୱାଭାବିକ ନହେଲେ ପାକିସ୍ତାନରେ ଗ୍ୟାସ୍ ସଙ୍କଟ ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି ।