ସାବଧାନ,ବଜାରରେ ବୁଲୁଛି ମାଳମାଳ ୫୦୦ ଟଙ୍କିଆ ଜାଲ ନୋଟ୍

ଏବେ ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍ । ୨୦୨୫ -୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏଭଳି ନୋଟ୍ ସଂଖ୍ୟା ୫.୭% ବଢ଼ି ୨,୨୯,୭୪୬ ଖଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷରେ ଥିଲା ୨,୧୭,୩୯୬ । ତେବେ ବଜାରରେ ବୁଲୁଥିବା ଜାଲ ନୋଟ୍‌ଗୁଡ଼ିକ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ। ୨୦୨୫-୨୬ରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ୍ ମଧ୍ୟରୁ ୫୦୦ ଟଙ୍କିଆର ଅଂଶ ରହିଛି ୬୧.୮% । ୨୦୨୪-୨୫ ଏବଂ ୨୦୨୩-୨୪ରେ ଏହା ଯଥାକ୍ରମେ ୫୪.୨% ଏବଂ ୩୮.୫% ଥିଲା । ନକଲି ୨୦ ଟଙ୍କିଆ ନୋଟ୍ ସଂଖ୍ୟାରେ ୪୭.୪% ବୃଦ୍ଧି ଘଟି ୩୭୩ ଖଣ୍ଡରେ ପହଞ୍ଚିଥିବା ଆର୍ବିଆଇ ତଥ୍ୟରୁ ଜଣାପଡ଼ିଛି ।୨୦୨୬-୨୭ ପାଇଁ ନିଜର ମୁଦ୍ରା ପରିଚାଳନା ଏଜେଣ୍ଡାର ଅଂଶବିଶେଷ ଆର୍ବିଆଇ ନୂଆ ଏବଂ ବିକଶିତ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଚଳନ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ମୁଦ୍ରା ପରିଚାଳନା ଏଜେଣ୍ଡାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ନୋଟ୍‌ର ଅଖଣ୍ଡତାକୁ ସୁଦୃଢ଼ କରିବା । ଅଧିକ ୫୦୦ ଟଙ୍କିଆ ନକଲି ନୋଟ୍ ଚିହ୍ନଟ ହେବାର କାରଣ ହେଉଛି ଏହାର ବହୁଳ ପ୍ରଚଳନ ।ସେପଟେ ଏଣିକି ଆଉ କାଗଜ ନୁହେଁ,ବଜାରକୁ ଆସିପାରେ ପ୍ଲାଷ୍ଟିକ୍‌ ନୋଟ୍‌ । ଭାରତରେ ପ୍ଲାଷ୍ଟିକ ନୋଟ୍ ଜାରି କରିବାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅନେକ ରିପୋର୍ଟ ଦାବି କରୁଛି ଯେ, ଖୁବଶୀଘ୍ର ଭାରତରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ହୋଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଟନା ଏବଂ ମୁମ୍ବାଇରେ ଆୟୋଜିତ ଆରବିଆଇର ଗତ ଦୁଇଟି ବୋର୍ଡ ବୈଠକରେ ପଲିମର କିମ୍ବା ପ୍ଲାଷ୍ଟିକ ନୋଟ୍‌ ପ୍ରଚଳନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।