ସିସିଟିଭି ସର୍ଭେଲାନ୍ସରେ ଆଜିଠୁ ଦୁଇ ଦିନ ରତ୍ନଭଣ୍ଡାର ଗଣତି

ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ବଣିଆ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ଦେଉଳକରଣ ଉପସ୍ଥିତ ରହିବେ। ମହାପ୍ରଭୁଙ୍କ ଦୂର୍ଲ୍ଲଭ ସ୍ବର୍ଣ୍ଣ ଅଳଙ୍କାର ସହିତ ହୀରା, ଲୀଳା, ମୋତି ମାଣିକ୍ୟର ଗଣତି ମଣତି କରାଯିବ। ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ଗଣତି ମଣତି କାର୍ଯ୍ୟର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ଏବେ ନିର୍ଦ୍ଧାରିତ ତାରିଖରେ ଗଣତି କାର୍ଯ୍ୟ ହେବାକୁ ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ସେବକ ଓ ଭକ୍ତମହଲରେ ଉତ୍ସୁକତା ବଢ଼ିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀକୁ ଅନୁସରଣ କରି ଗଣତି କାର୍ଯ୍ୟ କରାଯିବ। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଗଣତି ସମୟରେ ଶୃଙ୍ଖଳା ବଜାୟ ରଖିବା ସହ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।