ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନିଶାସକ୍ତ ସ୍ୱାମୀ!

ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ନିକଟ ଡୋମ ସାହିରେ ବୁଧବାର ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘର ଭିତରୁ ମହିଳାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିବା ପଡ଼ୋଶୀ ଦେଖିଲେ, ନିଆଁରେ ଜଳୁଛନ୍ତି ଜଣେ ମହିଳା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ। ସୂଚନା ଅନୁସାରେ, ଘରୋଇ କଳହକୁ ନେଇ ଏହି ନିଶାସକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇଛି। ଗୁରୁତର ମହିଳା କୁମ୍ଭାରପଡ଼ା ଥାନା ଅଞ୍ଚଳର ସରୋଜିନୀ ମଲ୍ଲିକ । ରାକ୍ଷୀପୂର୍ଣ୍ଣିମା ଅବସରରେ ମିଳିଥିବା ‘ସୁଭଦ୍ରା’ ଟଙ୍କାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିବା ଏବଂ ଏହାକୁ କେନ୍ଦ୍ର କରି ସରୋଜିନୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦିଆଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ମହିଳାଙ୍କ ଅବସ୍ଥା, ଘଟଣାସ୍ଥଳର ପରିସ୍ଥିତି ଓ ସ୍ବାମୀଙ୍କୁ ପଚରାଉଚରା ପରେ ଘଟଣାର ପ୍ରକୃତ ରହସ୍ୟ ଖୋଲିବ ବୋଲି ପୁଲିସ ତଦନ୍ତରୁ ଆଶା କରାଯାଉଛି।