ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ

ମାଆକୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ । ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ୭ ଦିନ ପରେ ମିଳିଛି ମା’ର ପରିଚୟ ମିଳିଛି । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗାଁର ଅନ୍ନପୂର୍ଣ୍ଣା ଦଳେଇ ।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅନ୍ନପୂର୍ଣ୍ଣା ପ୍ରାୟ ୪୦ ବର୍ଷ ପୂର୍ବରୁ ନିଜ ଗାଁ ଛାଡ଼ି ପଳାଇ ଆସିଥିଲେ ଏବଂ ସେବେଠାରୁ ଗ୍ରାମବାସୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।ଘଟଣାଟି ହେଉଛି , ଗତ ୨୪ ତାରିଖରେ କୁମ୍ଭାରପଡ଼ା ଅଞ୍ଚଳର ଏକ ଭଡ଼ାଘରେ ୪୭ ବର୍ଷୀୟ ମଦନ ଦଳାଇ ତାଙ୍କ ମା’ଙ୍କ ସହ ରହୁଥିଲେ । କିଛି ଦିନ ହେବ ମଦନ ହଠାତ୍ ଫେରାର ହୋଇଯିବା ଏବଂ ମା’ଙ୍କର କୌଣସି ପତ୍ତା ନମିଳିବାରୁ ଘର ମାଲିକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ବିଶେଷ କରି ରୋଷେଇ ଘର ଭିତରୁ ଏକ ଅସ୍ୱାଭାବିକ ଦୁର୍ଗନ୍ଧ ଆସିବାରୁ ଘର ମାଲିକ ପୁଲିସକୁ ଖବର ଦେଇଥିଲେ । ସନ୍ଦେହ କରାଯାଉଥିଲା ଯେ, ମା’କୁ ହତ୍ୟା କରିବା ପରେ ମଦନ ମୃତଦେହକୁ ଚଟାଣ ତଳେ ପୋତି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରି ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରୋଷେଇ ଘର ଚଟାଣ ଖୋଳି ତଦନ୍ତ ଆରମ୍ଭ କରିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା ।ମଦନ ଗିରଫ ହେବା ପରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ପୁରୀ ଏପସି ।