ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍, ମୋଟ୍ ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ସର୍ବଶେଷ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ବନ୍ଧ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରୁଛନ୍ତି । ହୀରାକୁଦରୁ ଅଧିକ ପରିମାଣରେ ପାଣି ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି ।ଗତ ଜୁଲାଇ ୯ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ଖୋଲିବାକୁ ପଡ଼ିଥିଲା 10ଟି ଗେଟ୍ । ତେବେ ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ, ଜଗତସିଂହପୁର ସମେତ ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ ଏବଂ ଦୁର୍ଜୋଗ ପରିଚାଳନା ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଅନାବଶ୍ୟକ ଭାବେ ନଦୀକୁ ନଯିବା, ମାଛ ଧରିବା କିମ୍ବା ନଦୀ ପାର ହେବାରୁ ବିରତ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି ।